କୋମାରେ ପ୍ରଣବ ମୁଖାର୍ଜୀ: ସ୍ୱାସ୍ଥ୍ୟାବସ୍ଥା ସ୍ଥିର,ଗୁଜବକୁ ଖଣ୍ଡନ କଲା ଡାକ୍ତରଖାନା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆଜି ମଧ୍ୟ କୌଣସି ସୁଧାର ଦେଖିବାକୁ ମିଳିନାହିଁ । ଯଦିଓ ପ୍ରଣବ ମୁଖାର୍ଜୀ କୋମାରେ ଅଛନ୍ତି, ତଥାପି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟକୁ ନେଇ ସେନାର ରିସର୍ଚ ଏବଂ ରେଫରାଲ ହସ୍ପିଟାଲ ଏହି ସୂଚନା ଜାରି କରିଛି । ହସ୍ପିଟାଲ ପ୍ରଶାସନର କହିବା ମୁତାବକ ଆଜି ସକାଳ ଠାରୁ ପ୍ରଣବଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ପରିବର୍ତ୍ତନ ଆସିନାହିଁ । ସେ ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ଅଛନ୍ତି ।

ଅନ୍ୟ ପକ୍ଷରେ ଯାହା ଚର୍ଚ୍ଚାର ବିଷୟ ପାଲଟିଛି ତାହା ହେଉଛି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ବାରମ୍ବାର ଆସୁଥିବା ଉଡ଼ା ଖବର । ଏହି ଖବର ଗତ ଦୁଇ ଦିନ ହେବ ଖୁବ ଭାଇରାଲ ହେବାରେ ଲାଗିଛି । ସମସ୍ତଙ୍କ ଭ୍ରମ ଦୂର କରି ହସ୍ପିଟାଲ ପ୍ରଶାସନ ଏହି ଉଡ଼ା ଖବରକୁ ଖଣ୍ଡନ କରିଛନ୍ତି । ଏହା ସହିତ ପ୍ରଣବଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଏବଂ ଝିଅ ଶର୍ମିଷ୍ଠା ମୁଖାର୍ଜୀ ମଧ୍ୟ ଏହା ଗୁଜବ ବୋଲି  ସୂଚନା ଦେଇଛନ୍ତି । ଗତ ଗୁରୁବାରକୁ ଅଭିଜିତ ଟ୍ୱିଟ୍ କରି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବରକୁ ମିଛ ବୋଲି କହିବା ସହିତ ଏଭଳି ମିଛ ଖବର ଭାଇରାଲ ନ କରିବାକୁ କହିଛନ୍ତି । ଏହା ସହିତ ସେ ଟ୍ୱିଟ କରିଛନ୍ତିଯେ, ଭାରତରେ ପ୍ରତିଷ୍ଠିତ ସାମ୍ବାଦିକଙ୍କ ଦ୍ୱାରା ଏଭଳି ମିଛ ଖବର ପ୍ରସାରିତ ହେବା ଦର୍ଶାଉଛିଯେ ଭାରତ ମିଛ ଖବରର ଗନ୍ତାଘର ପାଲଟି ଯାଇଛି । ପ୍ରଣବଙ୍କ ଝିଅ ଶର୍ମିଷ୍ଠା ତାଙ୍କ ବାପାଙ୍କ ବିଷୟରେ ଆସୁଥିବା ଖବରକୁ ଉଡ଼ା ଖବର ବୋଲି ସୂଚନା ଦେଇଛନ୍ତି । ଏହା ସହିତ ଫୋନ କଲ ନକରବାକୁ ମିଡିଆକୁ ଅନୁରୋଧ କରିଛନ୍ତି ।

କହିରଖୁଛୁ ପୂର୍ବତନ ରାଷ୍ଟ୍ରପତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସୋମବାରକୁ ତାଙ୍କର ବ୍ରେନ ସର୍ଜରୀ ମଧ୍ୟ ହୋଇଛି ।

Leave a Reply