ପେଟରୁ ବାହାରିଲା ଓ୍ବାସର, ନଟ, ବୋଲ୍ଟ, ଏବଂ ମାର୍ବଲ ଖଣ୍ଡ ସହ ଅନେକ ସାମଗ୍ରୀ

ନନ୍ଦିଘୋଷ ବ୍ୟୁରୋ: ଜଣେ ବ୍ୟକ୍ତିଙ୍କ ପେଟ କାଟିବା ମୂଳରେ ଥାଏ ଅନେକ କାରଣ । ଖାଦ୍ୟଜନିତ ସମସ୍ୟା ହେଉ ବା ଅନ୍ୟ କିଛି । ହେଲେ ପଞ୍ଜାବ ଅନ୍ତର୍ଗତ ମୋଗାରେ ଜଣେ ବ୍ୟକ୍ତିଙ୍କ ପେଟ କାଟିବା ମୂଳରେ ଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ପେଟରୁ ଅପରେସନ ପରେ ଏପରି କିଛି ଜିନିଷ ବାହାରିଥିଲା ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମୋଗାରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଜ୍ବର ଆସିବା ସହ ବାନ୍ତି ଲାଗିଥିଲା ।

କିଛିଦିନ ଧରି ଏପରି ହେବା ପରେ ତାଙ୍କୁ ସ୍ଥାନୀୟ ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କର ଏକ୍ସରେ କରିବା ପରେ ପେଟ ଭିତରେ କିଛି ସାମଗ୍ରୀ ଥିବା ଜାଣିବାକୁ ପାଇଥିଲେ । ଫଳରେ ଡାକ୍ତର ତାଙ୍କର ପେଟ ଅପରେସନ କରିଥିଲେ । ପ୍ରାୟ ୩ ଘଣ୍ଟାର ଅପରେସନ ପରେ ପେଟରୁ ଯାହା ବାହାରିଲା ଡାକ୍ତର ସେଥିରେ ହତବାକ ହୋଇପଡିଥିଲେ । ରୋଗୀଙ୍କ ପେଟରୁ ବାହାରିଥିଲା ଏକ ରାଖୀ ସମେତ ଇୟରଫୋନ, ଲକେଟ, ସ୍କ୍ରୁ, ଓ୍ବାସର, ନଟ, ବୋଲ୍ଟ, ଓ୍ବାଇର, ବୋତାମ, ହେୟାର କ୍ଲିପ, ଜିପ୍ପର ଟ୍ୟାଗ, ଏକ ମାର୍ବଲ ଖଣ୍ଡ, ଏକ ସେଫ୍ଟି ପିନ ଇତ୍ୟାଦି । ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଆଜମିର କାଲରା କହିଛନ୍ତି ଯୁବକଜଣକ ଗତ ଦୁଇ ବର୍ଷ ଧରି ପେଟ ଯନ୍ତ୍ରଣା ଭୋଗୁଥିଲେ । ଦୀର୍ଘ ଦିନ ଧରି ଏହି ସବୁ ସାମଗ୍ରୀ ପେଟରେ ରହିଥିବା ଯୋଗୁ ତାଙ୍କ ଅବସ୍ଥା ଠିକ୍ ନାହିଁ ।