ଚଳିତ ବର୍ଷ ହେବନି ପଞ୍ଚାୟତ ପୁନର୍ଗଠନ: ନିର୍ବାଚନ କମିଶନଙ୍କୁ ଜଣାଇଲେ ରାଜ୍ୟ ସରକାର
ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାରେ ପଡିଲା ପୂର୍ଣ୍ଣ ଛେଦ । ଚଳିତଥର ହେବନି ପଞ୍ଚାୟତ ପୁନର୍ଗଠନ । ଯେତିକି ପଞ୍ଚାୟତ ରହିଛି ସେତିକି ରହିବ । ଓ୍ୱାର୍ଡ ସଂଖ୍ୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇଦେଇଛନ୍ତି ରାଜ୍ୟ ସରକାର । ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହୋଇଥିଲା । କେତେକ ପଞ୍ଚାୟତକୁ ଭାଙ୍ଗି ଏହାର ସୀମା ନିର୍ଦ୍ଧାରଣ କରାଯାଇଥିଲା । ଫଳରେ ଚଳିତ ଥର ଆଉ ପୁନର୍ଗଠନର ଆବଶ୍ୟକତା ନାହିଁ । ଏହି ନିଷ୍ପତ୍ତି ପରେ ନିର୍ବାଚନ ପାଇଁ ବେଶୀ ସମୟ ଲାଗୁଥିବା ପ୍ରକ୍ରିୟା ଶେଷ ହୋଇଛି । ନିର୍ବାଚନ ପାଇଁ ନିଷ୍ପତ୍ତି ହେଲେ କେବଳ ସ୍ଥାନ ସଂରକ୍ଷଣ ଓ ଭୋଟର ତାଲିକା ସଂଶୋଧନ ପାଇଁ ସମୟ ଲାଗିବ । ଏଣୁ ସଠି କ୍ ସମୟରେ ନିର୍ବାଚନ ହେବା ନେଇ ଆଶା ବଢିଛି । ରାଜ୍ୟର ୬୮୦୧ ପଞ୍ଚାୟତ ଓ ୯୨ହଜାର ୨୯ଟି ଓ୍ବାର୍ଡରେ ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବାଲାଟ୍ ବାକ୍ସ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି । ୯୨ ହଜାର ବାଲାଟ୍ ବାକ୍ସର ଆବଶ୍ୟକତା ରହିଛି । ଚଳିତଥର ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ କରିବାକୁ ଅଣ୍ଟାଭିଡିଛନ୍ତି ରାଜ୍ୟ ସରକାର । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏବେ ବିକାଶର ସୂର୍ଯ୍ୟ ଉଇଁଛି । ଯୋଗଯୋଗ ସହିତ ଅନେକ ସେବା ସେମାନଙ୍କ ପାଖରେ ପହଞ୍ଚିଛି । ତେଣୁ ସେଠାରେ ନୂଆ ତରିକାରେ ନିର୍ବାଚନ ହେବା ନେଇ ପ୍ରୟାସ ଚାଲିଛି । ୨୦୨୨ ମାର୍ଚ୍ଚ ୧୦ ତାରିଖରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟାଳୟ ସରିବ । ଏହା ପୂର୍ବରୁ ନିର୍ବାଚନ ସରିବା କଥା । କିନ୍ତୁ ନିର୍ବାଚନ ରାସ୍ତାରେ କଣ୍ଚା ହୋଇ ଠିଆହୋଇଛି କରୋନା । ତେବେ ଆଗକୁ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେଇପାରନ୍ତି ନିର୍ବାଚନ କମିଶନ୍।
ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୨ହଜାର ୧୮୨ କରୋନା ସଂକ୍ରମିତ ଚିହ୍ନଟ