ନନ୍ଦିଘୋଷ ବ୍ୟୁରୋ : ଏଣେତେଣେ ଅଳିଆ ପକାଇଲେ ଗଣିବେ ଟଙ୍କା । ଅଳିଆ ପକାଇବା ପାଇଁ କୋଠର ହେଲା ନିୟମ । ଟଙ୍କେ କି ଦୁଇ ଟଙ୍କା ନୁହେଁ ଗଣିବେ ୫୦ ହଜାର ଟଙ୍କା । ହରିଆଣାର ଫରିଦାବାଦ ନଗର ନିଗମ ଏବେ ସହରରେ ବଢ଼ୁଥିବା ଅଳିଆ ସମସ୍ୟା ଏବଂ ପରିବେଶ ପ୍ରଦୂଷଣକୁ ନେଇ ଏପରି ଏକ ନିୟମ କାର୍ଯ୍ୟକାରୀ କରିଛି । ନଗର ନିଗମ ଅଳିଆ ସମସ୍ୟା ଏବଂ ପରିବେଶ ପ୍ରଦୂଷଣର ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିଛି । ଏହାର ସମାଧାନ ପାଇଁ ନିଗମ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ଏବେ ସାର୍ବଜନୀନ ସ୍ଥାନରେ ଅଳିଆ ଫିଙ୍ଗୁଥିବା, ବେଆଇନ ଭାବରେ ଅଳିଆ ପକାଇବା ଏବଂ ଅଳିଆ ପୋଡ଼ି ଦେଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ନିୟମର ଉଲ୍ଲଂଘନ କରିଲେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ।
ଏହା ସହିତ ସହରରେ ଆଧୁନିକ କଠିନ ବଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପିତ କରି ଅଳିଆ ନିଷ୍କାସନ ଯୋଜନା ଉପରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ନଗର ନିଗମ ବିଭିନ୍ନ କ୍ଷେତ୍ରରେ ସଚେତନ ବୋର୍ଡ ଲଗାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି । ଏହି ବୋର୍ଡଗୁଡ଼ିକ ମାଧ୍ୟମରେ ଲୋକମାନଙ୍କୁ ଜଣାଇ ଦିଆଯାଇଛି ଯେ ଖୋଲାରେ ଅଳିଆ ପକାଇବା,ଅଳିଆ ପୋଡ଼ିବା କିମ୍ବା କଠିନ ଅଳିଆର ଅବୈଜ୍ଞାନିକ ଭାବରେ ପରିବେଶଗତ ନିୟମର ଉଲ୍ଲଂଘନ କରେ । ଏହିପରି ପରିସ୍ଥିତିରେ ଏନଜିଟି ର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଖୋଲା ସ୍ଥାନରେ ବା ସାର୍ବଜନୀନ ସ୍ଥାନରେ ଅଳିଆ ଫିଙ୍ଗୁଥିଲେ ଲୋକମାନଙ୍କ ଉପରେ ନିଗମ ୫୦,୦୦୦ ଟଙ୍କାର ଜରିମାନା ଲଗାଇବ । ନଗର ନିଗମର ଅତିରିକ୍ତ କମିଶନର ପରମଜିତ ଚହଲଙ୍କ ଅନୁସାରେ ସାର୍ବଜନୀନ ସ୍ଥାନରେ ଅଳିଆ ଫିଙ୍ଗୁଥିବା ଲୋକମାନଙ୍କ ଉପରେ ସବୁବେଳେ କଡ଼ା ନଜର ରଖାଯିବ । ଏଥିପାଇଁ ପରିମଳ ପରିଦର୍ଶକ ଏବଂ ସହକାରୀ ପରିମଳ ପରିମଳ ପରିଦର୍ଶକଙ୍କ ୨୫ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି । ଏହି ଦଳଗୁଡ଼ିକ ସହରର ବିଭିନ୍ନ ଅଞ୍ଚଳ ଉପରେ ନଜର ରଖିବେ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ବର୍ଜ୍ୟବସ୍ତୁ ପରିଚାଳନାକୁ ଆଧୁନିକୀକରଣ କରିବା ପାଇଁ ନିଗମ ତିନୋଟି ବଡ଼ କଠିନ ବର୍ଜ୍ୟବସ୍ତୁ ପ୍ରକ୍ରୟାକରଣ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରିଛି । ମୁଜେଡିରେ ପ୍ରତିଦିନ ୧୫୦ ଟନ୍ କ୍ଷମତା ବିଶିଷ୍ଟ ଏକ ପ୍ଲାଣ୍ଟ ସ୍ଥାପନ କରାଯିବ, ଯେତେବେଳେ ପ୍ରତାପଗଡ଼ ଏବଂ ସୋଟାଇରେ ୬୦୦ ଟନ୍ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବ । ଏହି ପ୍ଲାଣ୍ଟ ଗୁଡ଼ିକ ଚାଲୁ ହେବା ପରେ ସହରର ଅଧିକାଂଶ ଅଳିଆକୁ ସ୍ଥାନୀୟ ଭାବରେ ପ୍ରକ୍ରିୟାକରଣ କରାଯିବ ଓ ସହର ମଧ୍ୟ ଅଳିଆ ଆବର୍ଜନା ସମସ୍ୟାରୁ ମୁକ୍ତି ପାଇବ । ନୂତନ ବ୍ୟବସ୍ଥାରେ ଓଦା ଅଳିଆରୁ ଜୈବ ସାର ତିଆରି କରାଯିବ । ଶୁଖିଲା ଓ ଜଳିପାରୁଥିବା ଅଳିଆରୁ ଇନ୍ଧନ ତିଆରି କରାଯିବ । ପ୍ଲାଷ୍ଟିକ,କାଗଜ ଓ ଧାତୁ ଭଳି ପୁନଃଚକ୍ରଣଯୋଗ୍ୟ ସାମଗ୍ରିକୁ ଅଲଗା କରି ପୁଣିଥରେ ବ୍ୟବହାର କରାଯିବ । ଏହି ପ୍ରକଳ୍ପରେ ଜିପିଏସ୍ ଓ ଆର୍ଏଫ୍ଆଇଡି ଭଳି ଆଧୁନିକ କୌଶଳରେ ବ୍ୟବହାର କରାଯିବ ।
ନଗର ନିଗମର ମତ ଅନୁସାରେ ଭଳ ନିରୀକ୍ଷଣ ଓ ଆଧୁନିକ ଅଳିଆ ପରିଚାଳନା ବ୍ୟବସ୍ଥା ଦ୍ୱାରା ଅଳିଆ ସମସ୍ୟା ନହେଁ ବରଂ ଏହାକୁ ଉପଯୋଗୀ ସମ୍ପଦରେ ପରିଣତ କରାଯାଇପାରିବ । ଏହା ଦ୍ୱାରା ସହର ଅଧିକ ସ୍ୱଚ୍ଛ ହେବ,ପ୍ରଦୂଷଣ କମିବ ଓ ସହରର ସୌନ୍ଦର୍ଯ୍ୟ ବଢ଼ିବ ।

