ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫେରେନ୍ସିଂରେ ଆଲୋଚନା କଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଓ୍ୱାର୍ଡ ସୀମା ନିର୍ଦ୍ଧାରଣ, ସଂରକ୍ଷଣ ତାଲିକା, ନିର୍ବାଚନ ପାଇଁ ବ୍ୟବହାର ହେବାକୁ ଥିବା ବାଲଟ ବକ୍ସର ସ୍ଥିତି, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ନିଯୁକ୍ତି ବାବଦରେ ଆଲୋଚନା ହୋଇଛି ।

୨୬ ତାରିଖ ସୁଦ୍ଧା ଓ୍ୱାର୍ଡ ସୀମା ନିର୍ଦ୍ଧାରଣ, ସଂରକ୍ଷଣ ତାଲିକା ଆୟୋଗକୁ ପଠାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ଅକ୍ଟୋବର ୨୫ ସୁଦ୍ଧା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ନଭେମ୍ବର ୧୫ ସୁଦ୍ଧା ସବୁ ବାଲାଟ ବକ୍ସର ସ୍ଥିତି ପରଖି ଓ ଏହାକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥର ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ବ୍ଲକ କାର୍ଯ୍ୟାଳୟରେ ହେବାକୁ ଥିବାରୁ ଏଥିପାଇଁ ସ୍ବତନ୍ତ୍ର ଗାଇଡ଼ଲାଇନ  ଜାରି ହୋଇଛି । ନଭେମ୍ବର ୫ ସୁଦ୍ଧା ଯେଉଁ ଜାଗାରେ ଭୋଟ ଗ୍ରହଣ ହେବ ସେହି ସ୍ଥାନ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

Leave a Reply