ଶ୍ରୀଲଙ୍କାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଜାରି, ଅଧିକାଂଶ ପେଟ୍ରୋଲ ପମ୍ପ ଖାଁ ଖାଁ

କଲମ୍ବୋ: ଶ୍ରୀଲଙ୍କାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଜାରି । ହାହାକାର ସ୍ଥିତିରେ ଜନତା । ସେପଟେ ଇନ୍ଧନ କ୍ଷେତ୍ରରେ ରାସନ ବ୍ୟବସ୍ଥା ଲାଗୁ କରିଛନ୍ତି ସରକାର । ଅର୍ଥାତ ସମସ୍ତଙ୍କୁ ଇନ୍ଧନ ଏଣିକି ମିଳିବ ନାହିଁ । କିଛି ନିର୍ଦ୍ଦିଷ୍ଟ ବର୍ଗର ଗ୍ରାହକଙ୍କୁ ଇନ୍ଧନ ମିଳିବ । ଏହି ନିୟମ ଲାଗୁ ହେବା ପରେ ଅଧିକାଂଶ ପେଟ୍ରୋଲ ପମ୍ପ ଖାଁ ଖାଁ ହୋଇଛି । ଏହି ନିୟମ ବଳରେ ସ୍ୱାସ୍ଥ୍ୟ ସମ୍ପର୍କିତ  ଯାନ, ଟ୍ରେନ, ବସ୍ ଲାଗି ଇନ୍ଧନ ମିଳିବ । ଆସନ୍ତା ୨ ସପ୍ତାହ ଲାଗି ଏହି ନିୟମ ବଳବତ୍ତର ରହିବ । କୋଭିଡ ବିପଦ ପରଠାରୁ ଶ୍ରୀଲଙ୍କାରେ ଆରମ୍ଭ ହୋଇଥିବା ସମସ୍ୟାର ଅନ୍ତ ଘଟୁ ନଥିବାବେଳେ ଦିନକୁ ଦିନ ସମସ୍ୟା ଗମ୍ଭୀର ହେବାରେ ଲାଗିଛି ।

ସେପଟେ ଦେଶରେ ପେଟ୍ରୋଲ ଓ ଡିଜେଲ ସମସ୍ୟାର ଅନ୍ତ ଲାଗି ବିଭିନ୍ନ ତୈଳ ଉତ୍ପାଦନକାରୀ ରାଷ୍ଟ୍ରର ତୈଳ କମ୍ପାନିଙ୍କୁ ଆହ୍ୱାନ ଦେଇଛନ୍ତି ସରକାର । ଦେଶରେ ଇନ୍ଧନ ବିକ୍ରି କରିବା ଲାଗି ସରକାର ଅନୁମତି ଦେଇଛନ୍ତି । ଏନେଇ ହୋଇଛି କ୍ୟାବିନେଟ ନିଷ୍ପତ୍ତି । ବର୍ତ୍ତମାନ ବି ଦେଶରେ ୨ କୋଟିରୁ ଅଧିକ ଲୋକ ଖାଦ୍ୟ, ମେଡିସିନ ଓ ଇନ୍ଧନ ସମସ୍ୟାରେ ଛଟପଟ ହେଉଛନ୍ତି । ଇନ୍ଧନ ସମସ୍ୟା ଏଡ଼ାଇବା ଲାଗି ସରକାର ସହରାଞ୍ଚଳର ସ୍କୁଲଗୁଡ଼ିକୁ ଦୁଇ ଦିନ ଲାଗି ବନ୍ଦ କରିଛନ୍ତି ।