ନିୟନ୍ତ୍ରଣ ବାହାରେ ଶ୍ରୀଲଙ୍କା ସ୍ଥିତି, ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ଜାରି ହେଲା ଜରୁରୀ ପରିସ୍ଥିତି । ଦେଶର ଦୟନୀୟ ସ୍ଥିତି ସମେତ ବିଭିନ୍ନ ସ୍ଥାନରେ ତୀବ୍ର ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ସମ୍ବିଧାନର ଧାରା ୧୫୫ ଅନୁସାରେ ରାଷ୍ଟ୍ରପତି ଏହି ପଦକ୍ଷେପ ନେଇଛନ୍ତି । ଏହି ଆଦେଶ ଏକ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ୧୪ ଦିନ ଭିତରେ ଏହି ନିର୍ଦ୍ଦେଶନାମାକୁ ସଂସଦ ମଞ୍ଜୁରୀ ଦେବାର ଆବଶ୍ୟକତା ରହିଛି । ଯଦି ସଂସଦୀୟ ମଞ୍ଜୁରୀ ନ ମିଳିବ ତେବେ ଏହି ନିର୍ଦ୍ଦେଶନାମା ଆପେ ରଦ୍ଦ ହୋଇଯିବ ।

ଗତକାଲି ରାଷ୍ଟ୍ରପତି ଭବନ ନିକଟରେ ହଜାର ହଜାର ଜନତା ନାରାବାଜି କରିବା ପରେ ରାଷ୍ଟ୍ରପତି ଏହି ପଦକ୍ଷେପ ନେବା ସହ ସ୍ଥିତି ନିୟନ୍ତ୍ରଣ ଲାଗି ନିରାପତ୍ତା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ନିରାପତ୍ତା ଆଇନ ଅନୁସାରେ ରାଷ୍ଟ୍ରପତି ସର୍ବୋଚ୍ଚ କ୍ଷମତା ପ୍ରୟୋଗ କରିଛନ୍ତି । ଏହି ନିର୍ଦ୍ଦେଶ ବଳରେ ସାମରିକ ବାହିନୀ ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରିପାରିବ ଏବଂ ଦୀର୍ଘଦିନ ଧରି ବିନା ବିଚାରରେ ଅଟକ ରଖିପାରିବ । ଅସ୍ଥିର ଜର୍ଜରିତ ରାଷ୍ଟ୍ରରେ ରାଷ୍ଟ୍ରପତି ଇସ୍ତଫା ଦେବା ଲାଗି ଦାବି ଜୋର ଧରିବା ପରେ ରାଜପକ୍ଷେ ଏହି ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ଜରୁରୀ ସାମଗ୍ରୀର ଯୋଗାଣକୁ ନିର୍ଦ୍ଦେଶନାମାରେ ଗୁରୁତ୍ୱ ଦିଆଯାଇଛି । ଇନ୍ଧନ, ଖାଦ୍ୟ ପଦାର୍ଥ, ବିଦ୍ୟୁତ ଅଭାବ ଯୋଗୁ ଦେଶ ଅଭୁତପୂର୍ବ ସଙ୍କଟ ବଳୟକୁ ଠେଲି ହୋଇଯାଇଛି । ପ୍ରାୟ ୨ କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ରାଜଧାନୀ କଲମ୍ବୋରେ ମଧ୍ୟ କଡା କଟକଣା ଲାଗିଛି ।

ସେପଟେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି ଜୋର ଧରିଛି ଏବଂ ଲୋକେ ଦୁର୍ନୀତିଗ୍ରସ୍ତ ସରକାରକୁ ହଟାଇବା ଲାଗି ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ପତ୍ନୀ ଶିରାନ୍ଥୀଙ୍କ ଦ୍ୱାରା ଉଦଘାଟିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମକୁ ଆନ୍ଦୋଳନକାରୀ ଭଣ୍ଡୁର କରି ଦେଇଛନ୍ତି । ଗାଲ୍ଲେ, ମତାରା, ମୋରାତୁଓ୍ୱା ଆଦି ସହରରେ ଲୋକମାନେ ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି । ପୋଲିସ ୫୩ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିବା ବେଳେ ୫ ଜଣ ଫଟୋ ସାମ୍ବାଦିକଙ୍କୁ ଅଟକ ରଖାଯାଇଛି । ସେପଟେ ପରିବହନ ମନ୍ତ୍ରୀ ଦିଲୁନ ଅମୁନୁଗାମା କହିଛନ୍ତି, ଏହି ଅସ୍ଥିରତା ପଛରେ ଆତଙ୍କବାଦୀଙ୍କ ହାତ ରହିଛି । କୋଭିଡ ପରଠାରୁ ଦେଶରେ ଆର୍ଥିକ ସଙ୍କଟ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ଦେଶରେ ଆର୍ଥିକ ସଂକଟ ଅଧିକ ଘନୀଭୂତ ହୋଇଛି । ଖାଦ୍ୟ ପଦାର୍ଥର ଦର ୩୦ ପ୍ରତିଶତ ବଢ଼ିଥିବା ବେଳେ ମୁଦ୍ରାସ୍ଫୀତି ୧୮.୭ ପ୍ରତିଶତ ହୋଇଛି ।