ନବନିର୍ବାଚିତ କୁସ୍ତି ସଙ୍ଘ ନିଲମ୍ବିତ, ସଞ୍ଜୟଙ୍କ ନିଷ୍ପତ୍ତି ଉପରେ ରୋକ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଙ୍ଘ ନିର୍ବାଚନ ଫଳାଫଳକୁ ନେଇ ବିବାଦ ବଢ଼ିବା ପରେ କେନ୍ଦ୍ର ସରକାରଙ୍କ ଆକ୍ସନ । କୁସ୍ତି ଯୋଦ୍ଧାଙ୍କ ବିରୋଧକୁ ଦେଖି ସଙ୍ଘକୁ ନିଲମ୍ବିତ କରି ଦେଇଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ । ଏହାସହ ସଭାପତି ଭାବେ ନିର୍ବାଚିତ ସଞ୍ଜୟ ସିଂଙ୍କ ସମସ୍ତ ନିଷ୍ପତ୍ତି ଉପରେ ରୋକ ଲଗାଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସଙ୍ଘର ସମସ୍ତ ପ୍ରକାର କାର୍ଯ୍ୟକଳାପ ଉପରେ ରୋକ ଲଗାଇ ଦିଆଯାଇଛି । ନିର୍ଦ୍ଦେଶରେ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଏମିତି ଲାଗୁଛି ପୁରୁଣା ପଦାଧିକାରୀ ସମସ୍ତ ନିଷ୍ପତ୍ତି ନେଉଛନ୍ତି ।

ସୂଚନାଯୋଗଁ, ନିକଟ ଅତୀତରେ ଭାରତୀୟ କୁସ୍ତି ସଙ୍ଘ ନିର୍ବାଚନ ହୋଇଥିଲା । ଯେଉଁଥିରେ ବିଜେପି ସାଂସ ବ୍ରିଜଭୂଷଣ ଶରଣ ସିଂଙ୍କ ସମର୍ଥକ ସଞ୍ଜୟ ସିଂ ବିଜୟି ହୋଇଥିଲେ । ନିର୍ବାଚନ ଫଳାଫଳ ଆସିବା ପରେ କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କୁସ୍ତିରୁ ସନ୍ୟାସ ନେଇ ଯାଇଥିଲେ । ବ୍ରିଜଭୂଷଣଙ୍କ ପରି ଅନ୍ୟ ଜଣେ କୁସ୍ତି ସଙ୍ଘର ଅଧ୍ୟକ୍ଷ ହେଲେ ବୋଲି ସେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷେ ସଞ୍ଜୟଙ୍କ ବିଜୟକ ପ୍ରତିବାଦରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ପଦ୍ମଶ୍ରୀ ଫେରାଇ ଦେଇଥିଲେ ।

ଖେଳ ମନ୍ତ୍ରାଳୟର ଆକ୍ସନକୁ ନେଇ ବଜରଙ୍ଗ ପୁନିଆ କହିଛନ୍ତି, ଏନେଇ ମୋ ପାଖରେ କୌଣସି ଖବର ନାହିଁ । ଯଦି ଏମିତି ନିଷ୍ପତ୍ତି ନିଆଯାଇଥିବ ତେବେ ଠିକ୍ ନିଷ୍ପତ୍ତି ନିଆଯାଇଛି । ଏମିତି ଲୋକଙ୍କୁ ସମସ୍ତ ପ୍ରକାର ସଙ୍ଘରୁ ବିଦା କରାଯିବା ଦରକାର ।