ବାବା ଧବଳେଶ୍ବରଙ୍କ ବଡ଼ସିଂହାର ବେଶ, କାଲି ଗଜଭୋଗ

ଆଠଗଡ଼: ଆଜି ବଡ଼ଓଷା । ଆଠଗଡ଼ ଧବଳେଶ୍ବରଙ୍କ ପୀଠରେ ପାଳନ ହେଉଛି ବିଶେଷ ରୀତିନୀତି । ବଡ଼ସିଂହାର ବେଶରେ ଦର୍ଶନ ଦେଇଛନ୍ତି ବାବା ଭୋଳାନାଥ । ଆଜି ମଧ୍ୟରାତ୍ରରେ ବାବାଙ୍କ ନିକଟରେ ଲାଗି ହେବ ଗଜଭୋଗ । ତ୍ରୟୋଦଶୀ ତିଥି ତୃତୀୟ ପ୍ରହର ଓ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ଗଜଭୋଗ ଲାଗି କରାଯିବ । ପ୍ରତ୍ୟେକ ପୂଜକ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ସକାଳୁ ଶ୍ରଦ୍ଧାଳୁଙ୍କୁ ଗଜଭୋଗ ବିତରଣ କରାଯିବ ।

ଆଜି ଭୋର ୪ଟାରୁ ପହଡ଼ ଖୋଲା ଯାଇ ମଙ୍ଗଳ ଆଳତି ପରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ପରେ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ହେଲେ ଖାଁ ଖାଁ ମନ୍ଦିର ପରିବେଶ । ପୀଠରେ ଜାରି ହୋଇଛି ୧୪୪ ଧାରା । ଏଥିପାଇଁ ମୁଖ୍ୟ ଫାଟକ ପାଖରେ ପରଦାରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ସେପଟେ ପଞ୍ଚକର ତୃତୀୟ ଦିନରେ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶୁକ୍ଳପକ୍ଷ ତ୍ରୟୋଦଶୀରେ ତ୍ରିବିକ୍ରମ ବା ଆଡ଼କିଆ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ସକାଳୁ ଦୈନନ୍ଦିନ ନୀତିକାନ୍ତି ପରେ ପୁଷ୍ପାଳକ ସେବକଙ୍କ ଦ୍ବାରା ଶ୍ରୀଜିଉଙ୍କୁ ବେଶ କରାଯାଇଥିଲା । ଆଡ଼କିଆ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଇଥାଏ । ଦେବୀ ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ ମସ୍ତକର ଶୀର୍ଷଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଖଞ୍ଜା ଯାଇଥାଏ । ଦୁଇବର୍ଷ ପରେ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଶ୍ରଦ୍ଧାଳୁ ବିମୋହିତ ହୋଇଥିଲେ ।