ଦେଉଳରୁ ବାହାରି ଆଜି ଜଗନ୍ନାଥ ବହ୍ଲବ ମଠକୁ ଯିବେ ହନୁମାନ

ପୁରୀ: ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିରୁ ନୂଆ ପାଞ୍ଜି ପ୍ରଚଳନ ହୁଏ । ତୁଳସୀ ଚଉରା ଉପରେ ଚାଞ୍ଚେରା ବାନ୍ଧି ଠେକିରେ ପାଣି ଭରି ଜଳ ଅର୍ପଣ କରାଯାଏ । ଛେନା, କ୍ଷୀର, ଗୁଡ଼ ଆଦି ମିଶ୍ରଣରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଲାଗି କରାଯାଏ । ଆଜିଠୁ ରାସ୍ତାକଡ଼ରେ ପଥିକଙ୍କ ପାଇଁ ଖୋଲେ ଜଳଛତ୍ର । ଆଜି ମହାବୀର ଜୟନ୍ତୀ ମଧ୍ୟ ପାଳନ କରାଯାଏ । ଶ୍ରୀହନୁମାନଙ୍କ ନାମ ଜପ, ଚାଳିଶା ପାଠ କଲେ ସକଳ ବ୍ୟାଧିରୁ ମୁକ୍ତି ମିଳେ ।

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୁଏ । ସକାଳ ଧୂପ ନୀତି ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯାଏ । ପରେ ମୁକ୍ତିମଣ୍ଡପ ତଳେ ଥିବା ବିମାନରେ ବସାଇ ବିଜେ କରାଯାଏ । ବିମାନ ବଡ଼ୁ ସେବକ ଜଗନ୍ନାଥ ବହ୍ଲବ ମଠକୁ ନିଅନ୍ତି । ସବୁ ନୀତିକାନ୍ତି ସରିବା ପରେ ଶ୍ରୀହନୁମାନଙ୍କ ବାହୁଡ଼ା ବିଜେ କରି ଦେଉଳକୁ ଅଣାଯାଏ । ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଆନନ୍ଦ ଉଲ୍ଲାସର ଦିନ  ।