କ୍ୟାବିନେଟ ମୋହର ଅପେକ୍ଷାରେ ଭାଗଚାଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ

ଭୁବନେଶ୍ୱର: କେମିତି ଭାଗଚାଷୀଙ୍କ ସ୍ବାର୍ଥ ସୁରକ୍ଷା ହେବ ? ଆଇନଗତ ଦୃଷ୍ଟିରୁ କିପରି ସେମାନେ ସରକାରଙ୍କ ସବୁ ଯୋଜନାର ଲାଭ ପାଇବେ ? ଏଥିପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଖୁବ ଶୀଘ୍ର ଭାଗଚାଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଯାଉଛନ୍ତି ସରକାର। ଏ ନେଇ ଏକ ଚିଠା ବିଲ ପ୍ରସ୍ତୁତ କରିଛି କୃଷି ବିଭାଗ। ଆଇନ ବିଭାଗର ତର୍ଜମା ପରେ ଏବେ ଏହି ବିଲଟି କ୍ୟାବିନେଟ ମୋହର ଅପେକ୍ଷାରେ ଅଛି। କାଳିଆ ଓ ବଳରାମ ଯୋଜନାରେ ସରକାର ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ଓ ଋଣ ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଏବେ ଭୂମିହୀନ ଚାଷୀଙ୍କ ରୋଜଗାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଲିଜ୍ ସୂତ୍ରରେ ଜମି ମାଲିକମାନେ ଚାଷ କରିବାକୁ ଜମି ଯୋଗାଇଦେବେ। ବିଲର ବ୍ୟବସ୍ଥା ଅନୁଯାୟୀ ଲିଜ ଦେଉଥିବା ଜମିର ମାଲିକମାନଙ୍କର କୌଣସି ପ୍ରକାରେ ମାଲିକାନା ସତ୍ତ୍ବାଧିକାର ଆଦୌ ପ୍ରଭାବିତ ହେବନାହିଁ।

ଚାଷଜମି ଲିଜ୍ ପାଇଁ ଜମି ମାଲିକ ଓ ଭୂମିହୀନ କିମ୍ବା ଭାଗଚାଷୀଙ୍କ ଭିତରେ ଗୋଟିଏ ଲିଜ ଚୁକ୍ତିନାମା କରାଯିବ। ଏହି ଚୁକ୍ତିନାମାକୁ ତହସିଲଦାର କିମ୍ବା ରାଜସ୍ବ ଅଧିକାରୀ କାର୍ଯ୍ୟକାରୀ କରିବେ । ଲିଜ ବାବଦରେ ଭାଗଚାଷୀ ଜମି ମାଲିକଙ୍କୁ ଅର୍ଥ କିମ୍ବା ଫସଲର ଅଂଶ ପ୍ରଦାନ କରିପାରିବେ । ଅନୁସୂଚିତ ଜନଜାତି ବର୍ଗର ଜମି ମାଲିକ କେବଳ ଅନୁସୂଚିତ ଜନଜାତି ବର୍ଗର ଭୂମିହୀନ ଚାଷୀଙ୍କୁ ଜମି ଲିଜ୍ ଦେଇପାରିବେ । ଚାଷ ଜମିକୁ ଲିଜ ସୂତ୍ରରେ ଯେ କୌଣସି ଭୂମିହୀନ ଚାଷୀ କିମ୍ବା ସ୍ବୟଂ ସହାୟକ ଗୋଷ୍ଠୀ, ଯୁଗ୍ମ ଋଣ ଗ୍ରହଣକାରୀ ଗୋଷ୍ଠୀ, ଏଫପିଓମାନେ ବି ନେଇପାରିବେ । ଚୁକ୍ତିନାମାର ଅବଧି ଗୋଟିଏ କୃଷି ବର୍ଷ କିମ୍ବା ଗୋଟିଏ ଫସଲ ଋତୁରେ ଲିଜ ସୀମିତ ରହିବ ।

ଲିଜ ଜମି ନବୀକରଣ ନ ହେବା ପର୍ଯ୍ୟନ୍ତ ଭୂମିହୀନ ଚାଷୀ ଆଉ ସମ୍ପୃକ୍ତ ଜମିରେ ଚାଷ କରିପାରିବେ ନାହିଁ । ଲିଜ୍‌ ଜମିକୁ ନେଇ କୌଣସି ବିବାଦ ଉପୁଜିଲେ ଜମି ମାଲିକ କିମ୍ବା ଲିଜ୍‌ଧାରୀ ଗ୍ରାମ ପଞ୍ଚାୟତ ଜରିଆରେ ଆପୋଷ ସମାଧାନ କରିପାରିବେ । ନହେଲେ ଚାରି ସପ୍ତାହ ଭିତରେ ସ୍ଥାନୀୟ ତହସିଲଦାର କିମ୍ବା ରାଜସ୍ବ ଅଧିକାରୀଙ୍କ ପାଖରେ ଆବେଦନ କରିବାକୁ ପଡିବ । ଏଥିରେ ବି ସମାଧାନ ନ ହେଲେ ଜିଲ୍ଲାପାଳ କିମ୍ବା ଡିଭିଜନାଲ୍‌ କମିସନରଙ୍କ ପାଖରେ ଅଭିଯୋଗ କରାଯାଇପାରିବ । ଓଡ଼ିଶା ଚାଷ ଜମି ଲିଜିଂ ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ସରକାର ସ୍ବତନ୍ତ୍ର ଜମି ଟ୍ରିବ୍ୟୁନାଲ ଗଠନ କରିବେ । ଯାହାର ଅଧ୍ୟକ୍ଷ ଭାବେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କାର୍ଯ୍ୟ କରିବେ ।

Leave a Reply