ଏବେ ସାରା ଦେଶ କହିବ ବିଜେପି ହଟାଅ: ଅଖିଳେଶ

ଲକ୍ଷ୍ନୌ: ବିହାରରେ ଜେଡିୟୁ ନେତା ନୀତିଶ କୁମାର ବିଜେପି ମେଣ୍ଟରୁ ଅଲଗା ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । କିଛି ଦିନ ମଧ୍ୟରେ ଆରଜେଡି, କଂଗ୍ରେସ ଓ ବାମଦଳ ସହ ମିଶି ସେ ସରକାର ଗଢ଼ିବେ । ଏଥିପାଇଁ ସେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ମିଶି ରାଜ୍ୟପାଳଙ୍କୁ ସରକାର ଗଢିବା ପାଇଁ ବହୁମତ ଥିବା କଥା କହିଛନ୍ତି ।

୭ ଦଳର ୧୬୪ ବିଧାୟକଙ୍କ ସମର୍ଥନ ଥିବା କଥା ସେ ରାଜ୍ୟପାଳଙ୍କୁ ଭେଟି କହିଛନ୍ତି । ବିହାରରେ ଏବେ ବିଜେପି ଏକାକି ହୋଇଯାଇଛି । ମେଣ୍ଟରୁ ପ୍ରାୟ ସବୁ ଦଳ ଅଲଗା ହୋଇଯାଇଛନ୍ତି । ବିହାର ରାଜନୀତି ଉପରେ ସମାଜୱାଦୀ ପାର୍ଟି ଅଖିଳେଶ ଯାଦବଙ୍କ ବୟାନ ସାମ୍ନାକୁ ଆସିଛି । ଅଖିଳେଶ କହିଛନ୍ତି, ଆଜିର ଦିନରେ ଅର୍ଥାତ ୯ ଅଗଷ୍ଟ ୧୯୪୨ରେ ‘ଇଂରେଜ ଭାରତ ଛାଡ଼’ ନାରା ଦିଆଯାଇଥିଲା ଏବଂ ଆଜି ହିଁ ବିହାରରୁ ବିଜେପି ହଟାଅ ନାରା ଆସିଛି । ଏବେ ଖୁବଶୀଘ୍ର ଦେଶର ଅନ୍ୟ ରାଜ୍ୟରୁ ରାଜନୈତିକ ଦଳ ଏବଂ ଲୋକ ବିଜେପି ବିରୋଧରେ ଛିଡା ହେବେ ।