ସିଓଲ ଦଳାଚକଟାରେ ମୃତ୍ୟୁସଂଖ୍ୟା ୧୫୧କୁ ବୃଦ୍ଧି

ସିଓଲ: ଦକ୍ଷିଣ କୋରିଆର ରାଜଧାନୀ ସିଓଲ ଦଳାଚକଟା ଘଟଣାରେ ବୃତ୍ୟୁସଂଖ୍ୟା ବଢ଼ି ୧୫୧ରେ ପହଞ୍ଚିଛି । ଶହରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଓ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ।

୩ ବର୍ଷ ପରେ ହାଲୋଓ୍ବିନ୍ ଉତ୍ସବ ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିରେ ଲକ୍ଷାଧିକ ଲୋକ ଏକତ୍ର ହୋଇଥିଲେ । ଲୋକେ ଆଗକୁ ବଢୁଥିବା ବେଳେ ଏକ ସରୁଆ ଗଳି ପଡ଼ିଥିଲା । ଏହି ଗଳି ପାର ହୋଇ ଯିବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ଯାଇଥିଲା । ପରେ ଏହା ହାତାହାତିର ରୂପ ନେଇ ଦଳାଚକଟା ଆରମ୍ଭ ହୋଇ ଯାଇଥିଲା । ଫଳରେ ଦଳାଚକଟାରେ ଜଣେ ଅନ୍ୟ ଜଣଙ୍କ ଉପରେ ପଡ଼ଇବାକୁ ଲାଗିଥିଲେ । ଯାହାଦ୍ବାରା ଏକାଧିକ ଲୋକ ହୃଦଘାତର ଶିକାର ହୋଇଥିଲେ । କିଛି ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମେଡିକାଲ ନେବା ବାଟରେ ଅନେକଙ୍କ ଜୀବନ ଚାଲି ଯାଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବକ ଥିବା ଜଣାପଡିଛି । ଏବେ ବି ୪ ଶହରୁ ଅଧିକ ଲୋକ ମେଡିକାଲରେ ଚିକିତ୍ସରତ ହେଉଛନ୍ତି ।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । କାହିଁକି ଦଳାଚକଟା ହେଲା ତାହାର କାରଣ ଖୋଜୁଛି ପୋଲିସ ।