ମହିଳା ଟିଭି ଆଙ୍କରଙ୍କୁ ହଟାଇ ନିଜେ ଖବର ପଢିଲେ ତାଲିବାନ ମୁଖପାତ୍ର !

କାବୁଲ: ମହିଳାଙ୍କୁ କାମ କରିବାକୁ ସୁଯୋଗ ଦିଆଯିବ । ସରିୟତ ଅନୁସାରେ ମହିଳାଙ୍କ ଅଧିକାରର ରକ୍ଷା କରାଯିବ,ଏମିତି ବଡ଼ ବଡ଼ କଥା କହିବାର ୨୪ ଘଣ୍ଟା ଭିତରେ ତାଲିବାନ ନିଜ ବୟାନରୁ ଓହରି ଯାଇଛି । ଯାହାର ଉଦାହରଣ ଆଜି କାବୁଲ ଏୟାରପୋର୍ଟ ବାହାରେ ଦେଖିବାକୁ ମିଳିଛି । ଦେଶ ଛାଡିବାକୁ ଏୟାରପୋର୍ଟ ବାହାରେ ଜମା ହୋଇଥିବା ମହିଳା ଓ ଶିଶୁଙ୍କ ଉପରେ ତାଲିବାନ ଆତଙ୍କବାଦୀ ନିର୍ଦ୍ଦୟତାର ସହିତ ଆକ୍ରମଣ କରିଛନ୍ତି । ଗହଳି ହଟାଇବା ନାଁରେ ସେମାନେ ଧାରୁଆ ଅସ୍ତ୍ର,କଣ୍ଟା ଲାଗିଥିବା ତାରରେ ମହିଳାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି ।

ଏପରିକି ସେମାନେ ଗୁଳି ମାଡ କରିଥିବା ମଧ୍ୟ କୁହାଯାଇଛି । ଆମେରିକାର ଜଣେ ସାମ୍ବାଦିକ ଏୟାରପୋର୍ଟ ବାହାରେ ମହିଳା ଓ ଶିଶୁଙ୍କ ଉପରେ ହୋଇଥିବା ଆକ୍ରମଣର ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଲସ ଏଞ୍ଜଲସ୍ ଟାଇମ୍ସର ସମ୍ବାଦଦାତ୍ତା ମାର୍କସ ୟେମ ଫଟୋ ଟ୍ୟୁଟ୍ କରି ଏହି ଆକ୍ରମଣ ପଛରେ ତାଲିବାନ ଥିବା ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ତଖର ପ୍ରଦେଶରେ ଜଣେ ମହିଳାଙ୍କୁ ବୁର୍ଖା ନପିନ୍ଧିଥିବାରୁ ଗୁଳି କରି ହତ୍ୟା କରାଯାଇଥିଲା । ତାଲିବାନ ଆତଙ୍କବାଦୀ ଏହି ହତ୍ୟାକାଣ୍ଡ କରିଥିଲେ ।

ଅନ୍ୟପକ୍ଷରେ ମଙ୍ଗଳବାର ଦିନ ସରକାରୀ ଓ ବେସରକାରୀ ଅଫିସରେ କାମ କରିବାକୁ ମହିଳାଙ୍କୁ ଅନୁମତି ଦେଇଥିବା ତାଲିବାନ ବୁଧବାର ଦିନ ନିଜ କଥାରୁ ଓହରି ଯାଇଛି । ବୁଧବାର ଦିନ ଆଫଗାନିସ୍ତାନର ସରକାରୀ ଚାକିରିର ମହିଳାଙ୍କ ଆଙ୍କରଙ୍କୁ ନ୍ୟୁଜ୍ ପଢିବାକୁ ଦିଆ ଯାଇନଥିଲା । ଆଙ୍କରଙ୍କ ସ୍ଥାନରେ ତାଲିବାନ ମୁଖପାତ୍ର ସମ୍ବାଦ ପଢିଥିଲେ ।

Leave a Reply