ପୁଣି ଚର୍ଚ୍ଚାରେ ସୋନୁ ସୁଦ୍, ଏଥର ଆଉ ଏକ ନୂଆ କାରନାମା ! ଗାଁର ଝିଅଙ୍କୁ ଯୋଗାଇବେ ସାଇକେଲ…

1 min read

ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଲେ ସୋନୁ ସୁଦ୍ । ନିଜର ଉଦାର ହୃଦୟ ଓ ପରୋପକାର ଚିନ୍ତାଧାରା ପାଇଁ ସୋନୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ସୋନୁଙ୍କୁ ପୁଣି ଥରେ ଶୁଭେଚ୍ଛାର ଶୁଅ ଛୁଟିଛି । ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକ ତଥା ଛାତ୍ରଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇ ଲୋକଙ୍କ ମନରେ ହିରୋ ପାଲଟିଥିବା ସୋନୁ ଏବେ ପୁଣି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।

ସୋନୁ ଟ୍ୱିଟ୍‌ ଜରିଆରେ କହିଛନ୍ତି, ଖୁବ୍‌ଶୀଘ୍ର ଗାଁର ପ୍ରତ୍ୟେକ ଝିଅଙ୍କ ପାଇଁ ସାଇକେଲ ଦେବେ । ଆଉ ସେହି ସାଇକାଲରେ ସେମାନେ ସ୍କୁଲକୁ ପାଠ ପାଢ଼ିବା ପାଇଁ ଯିବେ । ତେବେ ସୋନୁଙ୍କ ଏଭଳି ନିଷ୍ପତି ପରେ ତାଙ୍କୁ ଅନେକ ମହଲରୁ ବାହାବହା ଦିଆଯାଇଛି ।

ଦେଶର ଭବିଷ୍ୟତକୁ ସଜାଡିବାରେ ଲାଗିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍‌ । ନେତା ମନ୍ତ୍ରୀ ଯେଉଁ କାମ ପାରୁନାହାନ୍ତି ତାକୁ କରି ଦେଖାଉଛନ୍ତି ସୋନୁ । ଶିକ୍ଷା ହେଉ ଅବା ସ୍ୱାସ୍ଥ୍ୟ, ଲୋକଙ୍କୁ ସବୁ ପ୍ରକାର ସୁବିଧା ଦେବାକୁ ଚେଷ୍ଟା କରୁଛନ୍ତି । ଏବେ ସେ ଉତ୍ତର ପ୍ରଦେଶର ମିର୍ଜାପୁର ଓ ସୋନଭଦ୍ରା ଜିଲ୍ଲାର କିଛି ଝିଅଙ୍କ ପାଇଁ ସାଇକେଲ ଯୋଗାଇଦେବେ ବୋଲି ସୂଚନା ମିଳିଛି ।

ସ୍କୁଲ ଯିବା ପାଇଁ ଅସୁବିଧା ହେଉଥିବାରୁ ଝିଅମାନେ ପାଠ ପଢ଼ା ଛାଡ଼ିଦେଉଛନ୍ତି । କାରଣ ସ୍କୁଲଟି ଗାଁଠାରୁ ପ୍ରାୟ ୧୫ କିଲୋମିଟର ଦୂର । ଆଉ ସେହି ୧୫ କିଲୋମିଟର ଦୂର ଚାଲି ଚାଲି ଜଙ୍ଗଲ ଭିତର ଦେଇ ଯିବାକୁ ପଡ଼ିଥାଏ । ତାହା ପୁଣି ନକ୍ସଲ ପ୍ରବଣ ଅଞ୍ଚଳ । ତେଣୁ ଅଭିଭାବକମାନେ ନିଜ ଝିଅମାନଙ୍କୁ ସ୍କୁଲକୁ ଛାଡ଼ିବାକୁ କୁଣ୍ଠାବୋଧ କରନ୍ତି । ତେବେ ଏହି ଖବର ସୋନୁଙ୍କ ପାଖରେ ପହଞ୍ଚିବା ପରେ ସେ ସହଯୋଗର ହାତ ବଢ଼ାଇଛନ୍ତି । ପ୍ରାୟ ୩୫ ଜଣ ଝିଅଙ୍କ ପାଇଁ ସେ ସାଇକେଲ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ସେଏକ ଟ୍ୱିଟ୍‌ କରି କହିଛନ୍ତି ଝିଅମାନେ ଏବେ ସାଇକେଲ ଚଢ଼ି ସ୍କୁଲ ଯିବେ । ସେଥିପାଇଁ ପ୍ରସ୍ତୁତ ରୁହ । ଖୁବ୍‌ଶୀଘ୍ର ସେମାନଙ୍କ ପାଖେ ସାଇକେଲ ପହଞ୍ଚିବ ।

ସନ୍ତୋଷ ଚୌହାନ ନାମକ ଜଣେ ଯୁବକ ଟ୍ୱିଟ୍‌ କରି ଏନେଇ ସୋନୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଟ୍ୱିଟ କରି ଲେଖିଥିଲେ, ‘ଏହି ଗାଁରେ ୩୫ ଜଣ ଝିଅ ଅଛନ୍ତି, ଯେଉଁମାନଙ୍କୁ ସ୍କୁଲ ଯିବାକୁ ୧୫ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ଏହି ରସ୍ତା ବିପଦପୂର୍ଣ୍ଣ ଥିବାରୁ ଅବିଭାବକମାନେ ପିଲାଙ୍କୁ ଛାଡିବାକୁ ରାଜି ହୋଇନଥାନ୍ତି । ଆପଣ ଯଦି ଏହି ପିଲାଙ୍କୁ ସାଇକେଲ ଯୋଗାଇ ଦିଅନ୍ତେ ତେବେ ଏମାନଙ୍କ ଭବିଷ୍ୟତ ବଦଳିଯାଆନ୍ତା ।’

Leave a Reply