କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ସମର୍ଥନ କରିବା ଭୁଲ ଥିଲା ବୋଲି କହିଲେ ସୋନିଆ

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ମାନସ ମନ୍ଥନ କରିଛି କଂଗ୍ରେସ । ଗତକାଲି ଅନୁଷ୍ଠିତ କଂଗ୍ରେସ ଓ୍ୱାର୍କିଂ କମିଟି ମିଟିଂରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ସମର୍ଥନ କରି ଭୁଲ କରିଥିବା କହିଛନ୍ତି ସୋନିଆ । ଏହା ସହିତ ସେ ଆହୁରି କହିଛନ୍ତି ଯେ, କିଛି ଲୋକେ ଭାବୁଛନ୍ତି ଗାନ୍ଧୀ ପରିବାର ଲାଗି କଂଗ୍ରେସ ଦୁର୍ବଳ ହେଉଛି । ଯଦି ଏଭଳି କଥା, ତେବେ ଆମେ ଯେକୌଣସି ପ୍ରକାରର ତ୍ୟାଗ କରିବାକୁ ପ୍ରସ୍ତୁତ । ଅମରିନ୍ଦର ସିଂହ ଠିକ୍ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ବିଜେପି ସହ ମିଶି ନୂଆ ଦଳ ଗଠନ କରିଥିଲେ । ତେବେ ଦଳ ସଦ୍ୟ ସମାପ୍ତ ନିର୍ବାଚନରେ ବେଶ କିଛି ଭଲ ପ୍ରଦର୍ଶନ କରିପାରିନଥିଲା ।

ନିକଟରେ ୫ଟି ରାଜ୍ୟରେ ବିଧାନସଭା ନର୍ବାଚନ ପରିଣାମ ଆସିଥିବା ବେଳେ ଏଥିରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସେଭଳି ପଞ୍ଜାବରେ କଂଗ୍ରେସ କ୍ଷମତା ହରାଇଛି। ଗୋଆରେ ମଧ୍ୟ ଗତ ଥରର ରେକର୍ଡ ଦୋହରାଇ ପାରିନି ଦଳ।  ଉତ୍ତରାଖଣ୍ଡ  ଓ ଉତ୍ତର ପ୍ରଦେଶରେ ଖୁବ୍ ଚିନ୍ତାଜନକ ପ୍ରଦର୍ଶନ ରହିଛି। ଏହାପରେ ପାର୍ଟିରେ ମନ୍ଥନ କରିବା ପାଇଁ ଗତ କାଲି ଅର୍ଥାତ ରବିବାର କଂଗ୍ରେସର ଓ୍ୱର୍କିଂ କମିଟି ମିଟିଂ (ସିଡବ୍ଲୁସି) କରିଥିଲା।  ୫ ଘଣ୍ଟା ପର୍ଯ୍ୟନ୍ତ ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ମନ୍ଥନ କରିଥିଲେ। ବୈଠକରେ ଧାର୍ଯ୍ୟ ହୋଇଥିଲା ଯେ, ଦଳ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ହିଁ ଆଗକୁ ବଢ଼ିବ ।

ଏହି ବୈଠକରେ ରାହୁଲ କହିଥିଲେ, ଏହା ସ୍ପଷ୍ଟ ହେବା ଦରକାର ଯେ, ଆମର ଉଦେଶ୍ୟ କ’ଣ ଓ ଆମେ ଲୋକଙ୍କ ପର୍ଯ୍ୟନ୍ତ କିପରି ପହଁଞ୍ଚିବୁ। ଆମକୁ ଅଲଗା ଅଲଗା ରାଜ୍ୟ ପାଇଁ ଅଲଗା ରଣନୀତି ତିଆରି କରିବାକୁ ହେବ। ବିଜେପି ନିଜର ସ୍ୱାର୍ଥ ପାଇଁ ନିର୍ବାଚନ ଲଢୁଛି । ଆମେ ପାରମ୍ପାରିକ ଶୈଳୀରେ ନିର୍ବାଚନ ଲଢୁଛୁ। ସେଥିପାଇଁ ଆମକୁ ପ୍ରାର୍ଥୀ/ବ୍ୟକ୍ତି ରୂପରେ ନୁହେଁ, ଗୋଟିଏ ଦଳ ହୋଇ ଲଢ଼ିବା ଦରକାର ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

ଏଥିସହିତ ପଢ଼ନ୍ତୁ: ଇପିଏଫ ହିତାଧିକାରୀଙ୍କୁ ଝଟକା: ସୁଧ ହାର ହ୍ରାସ ପରେ ଏବେ କେତେ ଟଙ୍କା ଆସିବ ?