ଜୁଆ ଖେଳ ହେଲା କାଳ, ଟଙ୍କା ନଦେବାରୁ ଶାବଳରେ ପିଟି ବାପାଙ୍କୁ ହତ୍ୟା କଲା ପୁଅ

ଭଦ୍ରକ: ଜୁଆ ଖେଳ ବନାଇ ଦେଳା ହତ୍ୟାକାରୀ । ଆଉ ଟଙ୍କା ପାଇଁ ବାପାକୁ ହତ୍ୟା କଲା ପୁଅ । ଏମିତି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଗୋପବନ୍ଧୁ ନଗର ପଞ୍ଚାୟତର ସାସମଲଘେରି ଗାଁରେ ଘଟିଛି । ଜୁଆ ଖେଳ ପାଇଁ ଟଙ୍କା ନ ପାଇବାରୁ ବାପାଙ୍କୁ ଶାବଳରେ ପିଟି ହତ୍ୟା କରିଛି ପୁଅ । ମୃତକ ହେଲେ ଦୁଃଖିରାମ ମଣ୍ଡଳ ।

ଅଭିଯୋଗ ଅନୁସାରେ, ଦୁଃଖିରାମଙ୍କ ଚାରି ପୁଅ । ତୃତୀୟ ପୁଅ ବାଇଧର ମଣ୍ଡଳକୁ ପାଠ ପଢ଼ାଇ ଶିକ୍ଷିତ କରାଇଥିଲେ ଦୁଃଖିରାମ । ହେଲେ ବାଇଧର ଜୁଆ ଖେଳ ନଶାରେ ପଡ଼ିଯାଇଥିଲେ । ବାଇଧର ମାଆଙ୍କୁ ଟଙ୍କା ମାଗିଥିଲା । ହେଲେ ମାଆ ଟଙ୍କା ଦେଇ ନଥିଲେ । ଯାହାକୁ ନେଇ ସେ ମାଆଙ୍କୁ ମାଡ଼ ମାରିଥିଲେ । ଅନ୍ୟ ଭାଇମାନେ ଏହାର ପ୍ରତିବାଦ କରିବା ସହ ବାଇଧରଙ୍କୁ ବାନ୍ଧି ମାଡ଼ ଦେଇଥିଲେ । ଏହାକୁ ନେଇ ଗତକାଲି ଗାଁରେ ମୁରବୀଙ୍କୁ ନେଇ ଆଲୋଚନା ହୋଇଥିଲା ।

ଆଜି ଏହି କଥା ବାପା ଦୁଃଖିରାମ ପଚାରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ବାଇଧର ତାଙ୍କୁ ଶାବଳରେ ଆକ୍ରମଣ କରିଥିଲେ । ଦୁଃଖିରାମଙ୍କୁ ସଜ୍ଞାହୀନ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ନାୟକାଣିଡ଼ିହି ପୋଲିସ ଘଟଣାସ୍ଥଳର ପହଞ୍ଚି ଦୁଃଖିରାମଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ଏହାସହ ବାଇଧରଙ୍କୁ ଅଟକ ରଖି ପଚରା ଉଚରା କରୁଛି ।