ମାଛକୁ ଖାଇଲା ଧଣ୍ଡ…ଧଣ୍ଡକୁ ଖାଇଲା ରଣା

ମାଛ, କଙ୍କଡ଼ା ଓ ୨ ସାପଙ୍କ କାହାଣୀ । ଜାଲରେ ପଡ଼ିଲେ, ଜଣଙ୍କ ପରେ ଜଣେ । ମାଛ ଧରିବାକୁ ବସିଥିଲା ଜାଲ । ଆଉ ସେଥିରେ ଥିବା ମାଛ, କଙ୍କଡ଼ାକୁ ଖାଇବାକୁ ଯାଇ ଫସିଗଲା ଧଣ୍ଡସାପ । ଏତିକିରେ ସରି ନ ଥିଲା କାହାଣୀ… । ଜାଲର ଫାଶରେ ଏବେ ପଡ଼ିଥିଲା ରଣା । ଧଣ୍ଡକୁ ଖାଇବାର ଲୋଭ ତାକୁ ଜାଲରେ ପକାଇଦେଲା । ଖାଦ୍ୟ ଶୃଙ୍ଖଳର ଏକ ପୂରା ଶ୍ରେଣୀ ଦେଖିବାକୁ ମିଳିଥିଲା । ଖାଦ୍ୟ ପାଇଁ ପାଣି ଭିତରେ ଚାଲିଥିଲା ପ୍ରତିଯ଼ୋଗିତା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀ ଉପକଣ୍ଠ ଲକ୍ଷ୍ମୀନାରାୟଣପୁର ନହଳା ଗଁ।ରେ । ଗାଁର ନାଳରେ ମାଛ ଧରିବାକୁ ଜାଲ ବସାଇଥିଲେ ଶରତ କୁମାର ପ୍ରଧାନ ।

କିନ୍ତୁ ଜାଲ ଖୋଲିବା ପରେ ତାଙ୍କର ହୋସ୍‌ ଉଡ଼ିଯାଇଥିଲା । ଅବଶ୍ୟ ଜାଲରେ ସାପ ପଡ଼ିବା ଘଟଣା ନୂଆ ନ ଥିଲା । କିନ୍ତୁ ଏଥରର ଘଟଣା ଟିକେ ଭିନ୍ନ ଥିଲା । ଜାଲରେ ଏକାସାଙ୍ଗରେ ପଡ଼ିଥିଲେ ମାଛ, କଙ୍କଡ଼ା, ଧଣ୍ଡ ଓ ରଣା । ଜାଲରେ ଦୁଇ ସାପ ଛଟପଟ ହେଉଥିବା ଦେଖି ସ୍ନେକ୍‌ ହେଲପ ଲାଇନର ସଂପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ କଲ୍‌ କରିଥିଲେ ଶରତ । ଏହା ପରେ ସ୍ନେକ୍‌ ହେଲ୍‌ପ ଲାଇନର ସଦସ୍ୟ ଅରୁଣ ବରାଳ ପହଞ୍ଚି ଦୁଇ ସାପଙ୍କୁ ଉଦ୍ଧାର କରିଥିଲେ ।

ଉଦ୍ଧାର ପରେ ସାପଙ୍କୁ ଜଙ୍ଗଲରେ ସୁରକ୍ଷିତ ଭାବରେ ଛାଡ଼ିଦେଇଛନ୍ତି ସ୍ନେକ୍‌ ହେଲ୍‌ପ ଲାଇନ ସଦସ୍ୟ । ତେବେ ଏଭଳି ଘଟଣାକୁ ନେଇ ଶୁଭେନ୍ଦୁ କୁହନ୍ତି, ଜାଲରେ ପଡ଼ିଥିବା ମାଛକୁ ଧଣ୍ଡ ଜାଲରେ ଫସିଥିଲା । ସେପଟେ ଧଣ୍ଡକୁ ଖାଇବାକୁ ଆସିଥିଲା ରଣା । କିନ୍ତୁ ସେ ବି ଜାଲର ଫସିଯାଇଥିଲା । କାରଣ ଧଣ୍ଡ ଉଭୟ ମଲା ଓ ଜୀଅନ୍ତା ମାଛକୁ ଖାଇଥାନ୍ତି । ସେହିପରି ରଣାର ସୁଆଦିଆ ଖାଦ୍ୟ ହେଉଛି ଧଣ୍ଡ ।

Leave a Reply