ସାପକୁ ଦେଉଥିଲେ ଚୁମା, ଖାଇଲେ ଚୋଟ

ନବରଙ୍ଗପୁର: ନାଲି ପାଣି ପଡ଼ିଗଲେ ଦୁନିଆ ରଙ୍ଗିନ ଦିଶେ । ଢକଲମ ନିଶାରେ ନିଜକୁ ସିଂହ ଭାବି ନିଶାଡ଼ି ଦୌରାତ୍ମ୍ୟ ମଚାଇବାର ବହୁତ ନଜିର ରହିଛି । ଆପଣ ବି ରାସ୍ତାଘାଟରେ ଏମିତି ନିଶାରେ ଚୂର ଲୋକଙ୍କ ଧମାଲ ଦେଖିଥିବେ । ହେଲେ ଆଜି ଆମେ ଏମିତି ଜଣେ ନିଶାଡ଼ିଙ୍କ କଥା କହୁବାକୁ ଯାଉଛି, ଯିଏ ନିଶାଶକ୍ତ ଅବସ୍ଥାରେ ସାପକୁ ଚୁମା ଦେବାକୁ ଯାଇ ଚୋଟ ଖାଇଛନ୍ତି । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜାମ୍ବଗୁଡା ଅଞ୍ଚଳରେ । ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ପାତ୍ରୀଗାଁର ମାଧବ ଗୌଡ଼ ନିଶାଶକ୍ତ ଅବସ୍ଥାରେ ଜାମ୍ବଗୁଡ଼ା ଜଙ୍ଗଲରେ ବୁଲୁଥିଲେ । ଏହି ସମୟରେ ଏକ ବିଷାକ୍ତ ସାପ ଜଙ୍ଗଲରେ ତାଙ୍କ ହାବୁଡ଼ରେ ପଡ଼ି ଯାଇଥିଲା । ନାଲି ପାଣି ନିଶାରେ ଚୂର ମାଧବ ସାପଟିକୁ ଧରି ବେକରେ ପକାଇ ରାସ୍ତା ଉପରକୁ ଚାଲି ଆସିଥିଲା । ଏହାପରେ ସେ ସାପଟି ସହ ଖେଳିବା ଆରମ୍ଭ କରିଦେବା ସହ କାରନାମା ଦେଖାଇବା ଆରମ୍ଭ କରିଦେଇଥିଲା । ଏପରିକି ସାପକୁ ଚୁମା ଦେବାକୁ ଉଦ୍ୟମ କରିଥିଲା । ଏହି ସମୟରେ ସାପଟି ମାଧବ ଓଠ ଓ ହାତକୁ ଚୋଟ ମାରିଥିଲା ।

ଚୋଟ ଖାଇ ମାଧବ ଓଠରୁ ରକ୍ତ ବାହାରୁ ଥିଲେ ବି ନିଶାରେ ଏମିତି ମାତାଲ ଥିଲା ଯେ ସାପକୁ ଛାଡିବାର ନାଁ ଧରୁନଥିଲା । ଯହା ଦେଖିବାକୁ ରାସ୍ତାରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା । ଶେଷରେ ଜଣେ ବ୍ୟକ୍ତି ସାପଟିକୁ ଛାଡି ଦେଲେ ୫୦ ଟଙ୍କା ଦେବ ବୋଲି କହିବାରୁ ସେ ଛାଡି ଦେଇଥିଲା । ସାପଟି ଜଙ୍ଗଲ ଆଡକୁ ଯାଉଥିବା ବେଳେ ନିଶାଶକ୍ତ ମାଧବ ତାକୁ ଗୋଡ଼ରେ ଦଳି ମାରିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ସାପ ଚୋଟରେ ବିଷ ମାଧବର ଶରୀରରେ ଚରି ଯାଇଥିଲା ଓ ସେ ଅଚେତ ହୋଇ ପଡ଼ି ଯାଇଥିଲା । ଏହାପରେ ଦେଖଣାହାରୀ ୧୦୮ ଆମ୍ବୁଲାନ୍ସକୁ ଡକାଇ ତାକୁ ମେଡିକାଲ ପଠାଇଥିଲେ । ପ୍ରଥମେ ତାକୁ ପାପଡାହାଣ୍ଡି ମେଡ଼ିକାଲ ନିଆଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମାଧବର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି ।