ସ୍ମାର୍ଟଫୋନକୁ ସାବଧାନ, ହରାଇ ପାରନ୍ତି ଦୃଷ୍ଟିଶକ୍ତି

1 min read

ନନ୍ଦିଘୋଷ ବ୍ୟୁରୋ: ସ୍ମାର୍ଟଫୋନକୁ ସାବଧାନ । ନେଇପାରେ ଦୃଷ୍ଟିଶକ୍ତି । ଏଭଳି ଏକ ଘଟଣାକୁ ନେଇ ସତର୍କ କରାଇଛନ୍ତି ଡାକ୍ତର । ଦୈନନ୍ଦିନ ଜୀବନର ଏପରି ଅଭ୍ୟାସ ଶରୀର ଲାଗି କରିପାରେ ବଡ଼ କ୍ଷତି । ପ୍ରତିଟି ଜୀବନରେ ବର୍ତ୍ତମାନ ଡିଜିଟାଲ ଟେକ୍ନୋଲୋଜି ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ, ଏହି ବିପଦ ଏବେ ବିଭିନ୍ନ ମହଲରେ ଚିନ୍ତା ସୃଷ୍ଟି କରିଛି । ହାଇଦ୍ରାବାଦର ଜଣେ ମହିଳା ଦୀର୍ଘ ସମୟ ଧରି ସ୍ମାର୍ଟଫୋନ ବ୍ୟବହାର କରିବା ଯୋଗୁ ଦୃଷ୍ଟିଶକ୍ତି ହରାଇବା ଏବଂ ପରେ ଉପଚାର ପରେ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି । ଏନେଇ ଡାକ୍ତର ସୁଧୀର କୁମାର କହିଛନ୍ତି, ନିୟମିତ ବ୍ୟବହାର କାରଣରୁ ମଞ୍ଜୁନାମ୍ନୀ ୩୦ ବର୍ଷ ବୟସ୍କା ମହିଳା ନିଜ ଦୃଷ୍ଟି ଶକ୍ତି ହରାଇଥିଲେ ।

ଗତ ଦେଢବର୍ଷ ଧରି ଅନ୍ଧାରରେ ନିଜର ସ୍ମାର୍ଟଫୋନ ବ୍ୟବହାର କରୁଥିଲେ । ସେ ଜଣେ ବ୍ୟୁଟିସିଆନ ଥିଲେ ଏବଂ ତାଙ୍କର ସନ୍ତାନର ସ୍ୱତନ୍ତ୍ର ଆବଶ୍ୟକତା ଦୃଷ୍ଟିରୁ ସେ ଚାକିରି ଛାଡି ଘରେ ରହିଥିଲେ । ତେବେ ଘରେ ଥିବା ବେଳେ ସେ ସ୍ମାର୍ଟଫୋନର ବ୍ୟବହାର ଅଧିକ କରିଥିଲେ ଏବଂ ଏପରିକି ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ତାହାର ବ୍ୟବହାର କରିଥିଲେ । ଏହି କାରଣରୁ ସେ ସ୍ମାର୍ଟଫୋନ ଭିଜନ ସିଣ୍ଡ୍ରୋମ ବା ଏସଭିଏସର ଶିକାର ହୋଇଥିଲେ । କମ୍ପ୍ୟୁଟର, ସ୍ମାର୍ଟଫୋନ ବା ଟାବଲେଟର ଦୀର୍ଘକାଳୀନ ବ୍ୟବହାର ଯୋଗୁ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ ବା ସିଭିଏସ ଏବଂ ଡିଜିଟାଲ ଭିଜନ ସିଣ୍ଡ୍ରୋମ ବା ଡିଭିଏସ ଦେଖାଯାଇଥାଏ ବୋଲି କହିଛନ୍ତି ସୁଧୀର କୁମାର ।

ଦୃଷ୍ଟିହୀନତାର ଶିକାର ହୋଇଥିବା ମଞ୍ଜୁଙ୍କୁ ସେ କୌଣସି ସ୍ବାସ୍ଥ୍ୟ ପରୀକ୍ଷା ଲାଗି ପରାମର୍ଶ ଦେଇ ନଥିଲେ କିମ୍ବା ତାଙ୍କ ଲାଗି କୌଣସି ମେଡିସିନ ଲେଖି ନଥିଲେ । ତେବେ ସ୍ମାର୍ଟଫୋନ ବ୍ୟବହାର ହ୍ରାସ କରିବା ଲାଗି ପରାମର୍ଶ ଦେଇଥିଲେ ବୋଲି ସେ କହିଛନ୍ତି । ମସ୍ତିଷ୍କର ସ୍ନାୟୁ ସମସ୍ୟାରେ ପଡିଛନ୍ତି ବୋଲି ପ୍ରଥମେ ମଞ୍ଜୁ ଆଶଙ୍କା କରୁଥିଲେ । ମାତ୍ର ପରେ ସ୍ମାର୍ଟ ଫୋନ ସମସ୍ୟା ଜଣାପଡିବା ପରେ ସେ ତାଙ୍କୁ ସ୍ମାର୍ଟଫୋନ ବ୍ୟବହାରରୁ ଦୂରେଇ ରହିବା ଲାଗି ପରାମର୍ଶ ଦେଇଥିଲେ । ଅତି ଜରୁରୀ ନ ହେଲେ ସ୍ମାର୍ଟଫୋନ ସ୍କ୍ରିନ ନ ଦେଖିବାକୁ ମଞ୍ଜୁ କହିଥିବା ଦର୍ଶାଇଛନ୍ତି ଡାକ୍ତର ।

ଡାକ୍ତରଙ୍କ ପରାମର୍ଶ ମାନି ମଞ୍ଜୁ ସ୍ମାର୍ଟଫୋନର ସ୍କ୍ରିନ ଦେଖିବା ବନ୍ଦ କରିଥିଲେ । ପ୍ରାୟ ୧୮ ମାସ ପରେ ତାଙ୍କର ଏହି ସମସ୍ୟା ଦୂରୀଭୂତ ହୋଇଯାଇଥିଲା ଏବଂ ସେ ସ୍ବାଭାବିକ ଦୃଷ୍ଟିଶକ୍ତି ଫେରିପାଇଛନ୍ତି ବୋଲି କହିଛନ୍ତି ସୁଧୀର କୁମାର । ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ଉଦ୍ଦେଶ୍ୟରେ ଡାକ୍ତର ସୁଧୀର କୁମାର କୌଣସି ପ୍ରକାର ଡିଜିଟାଲ ଡିଭାଇସର ସ୍କ୍ରିନକୁ ଦୀର୍ଘ ସମୟ ଧରି ନ ଦେଖିବା ଲାଗି ପରାମର୍ଶ ଦେଇଛନ୍ତି । ଏହାସହ ୨୦-୨୦-୨୦ ନିୟମ ଲାଗି ପରାମର୍ଶ ଦେଇଛନ୍ତି । ଏହି ନିୟମଟି ହେଲା, ପ୍ରତି ୨୦ ମିନଟରେ ୨୦ ସେକଣ୍ଡ ବ୍ରେକ ନିଅନ୍ତୁ ଏବଂ ୨୦ ଫୁଟ ଦୂରକୁ ଦେଖିବାକୁ ଚେଷ୍ଟା କରନ୍ତୁ ।