ପ୍ରିପେଡ୍ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ପଛରେ ବଡ଼ ଷଡ଼ଯନ୍ତ୍ର
1 min read
ଭୁବନେଶ୍ବର ; ପ୍ରିପେଡ୍ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ପଛରେ ରହିଛି ଶୋଷଣର ବଡ଼ ଷଡ଼ଯନ୍ତ୍ର। ଏପରି ସନ୍ଦେହ କରିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ। ୬୦ ଟଙ୍କା ଲେଖାଏଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରି ବିଦ୍ୟୁତ ଗ୍ରାହକଙ୍କୁ ଲୁଟିବାକୁ ବଡ଼ ଚକ୍ରାନ୍ତ କରାଯାଇଛି। ବିଦ୍ୟୁତ ଉପଭୋକ୍ତା ମହାସଂଘ କହିଛି, ଏଭଳି ଘୋଷଣାର ଉଦ୍ଦେଶ୍ୟ ହେଲା- ଲୋକେ ସ୍ମାର୍ଟ ମିଟର ଲଗାଇବେ। ତା ପରେ ଆରମ୍ଭ ହେବ ଶୋଷଣ। ଏବେ ଯାହାର ବିଲ୍ ହଜାରେ ଟଙ୍କା ଆସୁଛି, ସେମାନଙ୍କର ବିଲ୍ ୧୮୦୦ ଟଙ୍କା। ଏପରିକି ରାତି ଅଧରେ ପ୍ରିପେଡ଼ ରିଚାର୍ଜ ସରିଗଲେ, ଲାଇନ କଟିଯିବ। ଦେବାକୁ ପଡ଼ିବ ରିକନେକ୍ସନ ଚାର୍ଜ। ଲୋକଙ୍କୁ ଲୁଟ ପାଇଁ ଏହି ରେଣ୍ଟ ଛାଡ଼ କରାଯାଇଛି ଓ ଉପଭୋକ୍ତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଶୋଷଣର ବିଧିବଦ୍ଧ ଉଦ୍ୟମ ହୋଇଛି। ତେଣୁ ସ୍ମାର୍ଟ ମିଟର ଲଗାଇବା ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ଦାବି କରି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଚିଠି ଲେଖି ଦାବି ଜଣାଇଛି ମହାସଂଘ।
କଂଗ୍ରେସ ମଧ୍ୟ କହିଛି, ରାଜ୍ୟବାସୀଙ୍କୁ ଭୂତେଇବା ପାଇଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରାଯାଇଛି । ସରକାରଙ୍କ ସହ ମିଲି ଭଗତରେ ଉପଭୋକ୍ତାଙ୍କୁ ଶୋଷଣ କରିବାକୁ ଏହି ଯୋଜନା। ଏହାକୁ ଜୋରଦାର ବିରୋଧ କରାଯିବ। ଦଳ ଅଭିଯୋଗ କରିଛି, ରାଜ୍ୟରେ ଅଘୋଷିତ ଏମର୍ଜେନସି ଲାଗୁ କରି ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରୁଛି ବିଜେପି ସରକାର। ସେଭଳି ସଂସ୍ଥାକୁ ନିଜ ଅଧୀନକୁ ଆଣି ଜନବିରୋଧୀ ନିଷ୍ପତ୍ତି ନେଉଛି। ପ୍ରିପେଡ଼ ସ୍ମାର୍ଟ ମିଟର ଲଗାଗଲେ ରୋଷେଇ ଅଧା ରହିଯିବ, ହସ୍ପିଟାଲରେ ଅପରେସନ ଅଧାରେ ରହିଯିବ ଓ ଚତୁର୍ଦ୍ଦିଗ ଅନ୍ଧାର ହୋଇଯିବ। ସିପିଏମ୍ ମଧ୍ୟ କହିଛି, ପ୍ରିପେଡ୍ ସ୍ମାର୍ଟ ମିଟରକୁ ଗ୍ରହଣ କରାଯିବନି। ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ। ଏହା ସହିତ ଲଗାତର ପାୱାର କଟ୍ ବନ୍ଦ, ପ୍ରତିଶ୍ରୁତି ଅନୁଯାୟୀ ୩୦୦ ୟୁନିଟ ବିଜୁଳି ମାଗଣାରେ ପ୍ରଦାନ ଏବଂ ଓଡ଼ିଆରେ ବିଜୁଳି ବିଲ୍ ଦେବାକୁ ଓଇଆରସିକୁ ଚିଠି ଜରିଆରେ ଦୃଢ଼ ଦାବି ଜଣାଇଛି ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ।