spot_img

Latest Posts

ଭୁବନେଶ୍ୱରର ନୂଆ ଡିସିପି ସର୍ବଣା ବିବେକ୍, ଅପରାଧ ନିୟନ୍ତ୍ରଣକୁ ଫୋକସ୍

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୫ ବ୍ୟାଚ୍ ଆଇପିଏସ୍ ଅଫିସର ସର୍ବଣା ବିବେକ୍ ଏମ୍। ପୂର୍ବତନ ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୋଲିସ କମିଶନର ଏସ୍. ଦେବଦତ୍ତ ସିଂଙ୍କ ଉପସ୍ଥିତିରେ ଡିସିପି ଅଫିସରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଦାୟିତ୍ୱ ଗ୍ରହଣ ପରେ ନୂଆ ଡିସିପି ଆଇନଶୃଙ୍ଖଳା, ଭିଭିଆଇପି ସୁରକ୍ଷା ଓ ସାଇବର ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଦଣ୍ଡବିଧାନ ହାର ବଢ଼ାଇବା ଦିଗରେ ଫୋକସ୍ ରହିବ ବୋଲି ସେ କହିଛନ୍ତି। ‘ପୋଲିସ ପାଖକୁ ଲୋକେ ନୁହେଁ, ଲୋକଙ୍କ ପାଖକୁ ପୋଲିସ ପହଞ୍ଚିବ’—ଏହି ଆଭିମୁଖ୍ୟ ସହ କମ୍ୟୁନିଟି ପୋଲିସିଂକୁ ଗୁରୁତ୍ୱ ଦେବେ ନୂଆ ଡିସିପି। ଡିସିପିଙ୍କ ଅଫିସିଆଲ୍ ନମ୍ବରରେ ଲୋକେ ଅଭିଯୋଗ ଜଣାଇପାରିବେ ବୋଲି ମଧ୍ୟ କୁହାଯାଇଛି। ଥାନାଧିକାରୀଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରି ସେମାନଙ୍କୁ ପିପୁଲ୍-ଫ୍ରେଣ୍ଡଲି ପୋଲିସିଂ ଉପରେ ଗୁରୁତ୍ୱ ଦେବାକୁ ତାଗିଦ କରିଛନ୍ତି। ମହିଳା ଓ ଶିଶୁଙ୍କ ପ୍ରତି ହିଂସା ହ୍ରାସ କରିବାକୁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ନେଇଛନ୍ତି ନୂଆ ଡିସିପି। ଅତିରିକ୍ତ ଡିସିପି ଓ ଏସିପିମାନଙ୍କୁ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସାଇବର ଅପରାଧ ନିୟନ୍ତ୍ରଣ ଉପରେ ମଧ୍ୟ ବିଶେଷ ଫୋକସ୍ ରହିବ। ଡିଜିଟାଲ୍ ଠକଙ୍କୁ ଧରିବା ପାଇଁ ଖୁବଶୀଘ୍ର ନୂଆ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସର୍ବଣା ବିବେକ୍ ଏମ୍ କହିଛନ୍ତି। ୧୯୮୫ରେ ତାମିଲନାଡୁରେ ଜନ୍ମିତ ସର୍ବଣା ବିବେକ୍ ଏମ୍ ପ୍ରଥମେ ମେଡିକାଲ୍ ସାଇନ୍ସର ଛାତ୍ର ଥିଲେ। ପରେ ଆଇପିଏସ୍ ହୋଇ ମାଓପ୍ରବଣ ମାଲକାନଗିରିରେ ଏସ୍‌ଡିପିଓ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ରାୟଗଡ଼ା, କଳାହାଣ୍ଡି, ଭିଜିଲାନ୍ସ ଓ ବ୍ରହ୍ମପୁରରେ ଏସ୍‌ପି ଭାବେ ଦାୟିତ୍ୱ ତୁଲାଇଛନ୍ତି।

Latest Posts

Don't Miss