ନନ୍ଦିଘୋଷ ବ୍ୟୁରୋ : ହକି ଇଣ୍ଡିଆ (Hockey India) ମଧ୍ୟରେ କଳହ ଏବେ ଚରମ ସୀମାରେ ପହଞ୍ଚିଛି। ହକି ଇଣ୍ଡିଆର ସଭାପତି ତଥା କିମ୍ବଦନ୍ତୀ ହକି ଖେଳାଳି ଦିଲୀପ ତିର୍କୀ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଦିଲ୍ଲୀ ପୋଲିସ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ସଂଘର କେତେକ ପଦାଧିକାରୀଙ୍କ ବିରୋଧରେ ସେ ବିଶ୍ୱାସଘାତକତା, ଚୋରି ଏବଂ ଜୀବନ ନେବାର ଧମକ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି।
ଦିଲୀପ ତିର୍କୀ ଦିଲ୍ଲୀର ଦକ୍ଷିଣ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଦେଇଥିବା ଅଭିଯୋଗରେ ୪ ଜଣ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିଛନ୍ତି।ସେମାନେ ହେଉଛନ୍ତି-
. କମାଣ୍ଡର ଆର.କେ. ଶ୍ରୀବାସ୍ତବ (ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ)
. ସୁବୋଧ କୁମାର (ଆର୍ଥିକ ପରିଚାଳକ)
. ଭୂଷଣ କୁମାର (ନିର୍ଦ୍ଦେଶକ)
. ହରମିନ୍ଦର ସିଂହ (ଫେଡେରେସନ୍ର ଡ୍ରାଇଭର)
ତେବେ ଡିସିପି କାର୍ଯ୍ୟାଳୟ ଅଭିଯୋଗ ମିଳିଥିବା ସ୍ୱୀକାର କରିଥିଲେ ବି ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ FIR ରୁଜୁ ହୋଇନଥିବା ପ୍ରକାଶ କରିଛନ୍ତି।
ତେବେ ଅଭିଯୋଗ ଅନୁସାରେ, ଗତ ସେପ୍ଟେମ୍ବର ୨୨ ତାରିଖରେ ଦିଲୀପ ତିର୍କୀ ଦିଲ୍ଲୀ ଗସ୍ତରେ ଆସିଥିବା ସମୟରେ ତାଙ୍କୁ ସଂଗଠନ ତରଫରୁ ଏକ ଗାଡ଼ି ଯୋଗାଇ ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଫେଡେରେସନ୍ ସେହି ଗାଡ଼ିଟିକୁ ଫେରାଇ ନେଇଥିଲା। ସେହି ଗାଡ଼ିରେ ଦିଲୀପଙ୍କର ଅତ୍ୟାବଶ୍ୟକ ଔଷଧ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ବ୍ୟକ୍ତିଗତ ସାମଗ୍ରୀ ରହିଥିଲା। ଦିଲୀପ ତାଙ୍କ ସାମଗ୍ରୀ ଫେରସ୍ତ ପାଇଁ ହକି ଇଣ୍ଡିଆର ଅଧିକାରୀମାନଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ୍ ଉଠାଇ ନଥିଲେ।
ବିବାଦର ମୁଖ୍ୟ କାରଣ:
ତେବେ ହକି ଇଣ୍ଡିଆ ଅନ୍ତରୀଣ କଳହର ମୂଳ କାରଣ ହେଉଛି ଟିମ୍ର ଜର୍ସି ରଙ୍ଗ ଏବଂ ପ୍ରଶାସନିକ କ୍ଷମତାକୁ ନେଇ ମତାନ୍ତର।
୧- ଜର୍ସି ରଙ୍ଗ ପରିବର୍ତ୍ତନ: FIH ବିଶ୍ୱକପ୍ ସମୟରେ ହକି ଟିମ୍ର ଜର୍ସି ରଙ୍ଗ ‘ନୀଳ’ରୁ ‘ନାରଙ୍ଗି’ କରାଯିବାକୁ ଦିଲୀପ ତିର୍କୀ ବିରୋଧ କରିଥିଲେ। ତାଙ୍କୁ ନଜଣାଇ ଏହି ନିଷ୍ପତ୍ତି ନିଆଯାଇଥିବାରୁ ସେ କ୍ଷୁବ୍ଧ ହୋଇ କମାଣ୍ଡର ଆର.କେ. ଶ୍ରୀବାସ୍ତବଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଥିଲେ।
୨- ହକି ଇଣ୍ଡିଆ ସାଧାରଣ ସଂପାଦକ ଭୋଳାନାଥ ସିଂହଙ୍କ ସହିତ ଦିଲୀପଙ୍କର ବିବାଦ ବୃଦ୍ଧି ପାଇବା ପରେ, ସେ ଭୋଳାନାଥଙ୍କର କେତେକ ପ୍ରଶାସନିକ କ୍ଷମତା ପ୍ରତ୍ୟାହାର କରି ନେଇଥିଲେ।
ବର୍ତ୍ତମାନ ଦିଲୀପ ତିର୍କୀ ନିଜର ବ୍ୟକ୍ତିଗତ ସାମଗ୍ରୀ ଓ କାଗଜପତ୍ର ତୁରନ୍ତ ଫେରସ୍ତ ପାଇବା ସହ ନିଜର ସୁରକ୍ଷା ପାଇଁ ଦାବି କରିଛନ୍ତି।

