ପ୍ରଦୂଷଣମୁକ୍ତ ହେବ ସ୍ମାର୍ଟସିଟି: ସ୍ଥାପନ ହେବ ୪୩ଟି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରକୁ ପଦୂଷଣମୁକ୍ତ କରିବା ପାଇଁ ବିଏମ୍‌ସିର ଆଉଏକ ପଦକ୍ଷେପ । ମହାନଗର ଅଞ୍ଚଳରେ ୪୩ଟି ମାଇକ୍ରେ। କମ୍ପୋଷ୍ଟ କେନ୍ଦ୍ର ସ୍ଥାପନ କରାଯିବ । ପ୍ରତ୍ୟେକ କେନ୍ଦ୍ର ପାଇଁ ୭୦ଲକ୍ଷ ଲେଖାଏଁ ମୋଟ୍‌ ୩୦କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ଏସବୁ ପ୍ରକଳ୍ପ ପାଇଁ କିଛି ବାଧକ ଥିଲେ ବି ୬ମାସରୁ ବର୍ଷକ ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ।

ସ୍ମାର୍ଟସିଟି ଭୁବନେଶ୍ୱରର ବିଭିନ୍ନ ଓ୍ୱାର୍ଡରୁ ଦୈନିକ ସଂଗୃହୀତ ଅଳିଆ ଆବର୍ଜନାର ସୁପରିଚାଳନା ପାଇଁ ନୂଆ ଯ଼ୋଜନା । ବର୍ଜ୍ୟବସ୍ତୁରୁ ଶୁଖିଲା, ଓଦା ଓ ପ୍ଲାଷ୍ଟିକ୍‌କୁ ଅଲଗା କରି ରିସାଇକ୍‌ଲ କରାଯିବ । ପଦୂଷଣ ନିୟନ୍ତ୍ରଣରେ ଏହା ବେଶ୍‌ ସହାୟକ ହେବ ।

ବିଏମ୍‌ସିରେ ୬୭ଟି ଓ୍ୱାର୍ଡ ମଧ୍ୟରୁ ଏବେ ୪୩ଟି ସ୍ଥାନରେ ମାଇକ୍ରେ। କମ୍ପୋଷ୍ଟ କେନ୍ଦ୍ର ବା ଏମ୍‌ସିସି ସ୍ଥାପନ କରାଯିବ । ପ୍ରତି କେନ୍ଦ୍ର ପାଇଁ ୭୦ଲକ୍ଷ ଟଙ୍କା ହିସାବରେ ୩୦କୋଟିରୁ ଅଧିକ ଟଙ୍କା ଅଟକଳରେ କାମ ଆରମ୍ଭ ହୋଇଛି । ତେବେ ଏଥିରେ କିଛି ବାଧା ଅଛି । କିଛି ଅଞ୍ଚଳରେ ଲୋକ ବିରୋଧ କରୁଛନ୍ତି । ସ୍ଥାନ ପରିବର୍ତ୍ତନ କରିବାକୁ ଦାବି ହୋଇଛି ।

ତେବେ ବିଏମ୍‌ସି କମିଶନର ନିଜେ ସମ୍ପୃକ୍ତ ଅଞ୍ଚଳକୁ ଯାଇ ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନର ବାଟ ବାହାର କରୁଛନ୍ତି । ଏନେଇ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ ଥିବାରୁ ଖୁବ୍‌ଶୀଘ କାମ ସଂପୂର୍ଣ୍ଣ କରାଯିବ ବୋଲି ବିଏମ୍‌ସି କମିଶନର ସ୍ପଷ୍ଟ କରିଛନ୍ତି । ପ୍ରଦୂଷଣଜନିତ ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମର ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ।

Leave a Reply