ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଅଭିଜ୍ଞତା ବର୍ଣ୍ଣନା କଲେ ମିଶନ ଶକ୍ତିର ମା’

1 min read

ଭୁବନେଶ୍ୱର: ସହରାଞ୍ଚଳ ଜଳଯୋଗାଣର ସାରଥୀ ଜଳସାଥୀ । ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସର ସେତୁ ପାଲଟିଛନ୍ତି ଜଳସାଥୀ । ତିନି ବର୍ଷ ପୂର୍ବରୁ ପାଇଲଟ୍ ପ୍ରକଳ୍ପ ଭାବେ 5T ଅଧୀନରେ ଆରମ୍ଭ ହୋଇଥିବା ଜଳସାଥୀ, ଏବେ ସାରା ରାଜ୍ୟର ସହରାଞ୍ଚଳରେ ପାନୀୟ ଜଳ ପରିଚାଳନା ଦିଗରେ କାମ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟସ୍ତରୀୟ ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ଜଳସାଥୀ ତଥ୍ୟ ସମ୍ବଳିତ ପୁସ୍ତକ ଉନ୍ମୋଚନ ସହ ମୁଖ୍ୟମନ୍ତ୍ରୀ ଜଳସାଥୀଙ୍କୁ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜଳସାଥୀ ମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କିଛି ମା ମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ପୁରୀର ଶ୍ରୀମତୀ ମହାପାତ୍ର ଓ ଭୁବନେଶ୍ବରର ସୁଜାତା ପଟ୍ଟନାୟକ ପ୍ରମୁଖଙ୍କ ଆଖିରେ ଥିଲା ଆନନ୍ଦର ଅଶ୍ରୁ । କୋହଭରା କଣ୍ଟରେ ସେମାନେ କହିଲେ ଯେ ଘର ଭିତରେ ଗୃହିଣୀ ହେବା ଛଡା ଆମର ଆଉ କିଛି କରିବାର ଶକ୍ତି ଅଛି ବୋଲି ଆମେ ଜାଣି ନ ଥିଲୁ । ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ। ଜୀବନର ସାର୍ଥକତା ପାଇଛୁ।

ସେହିପରି କଟକ ଓ ଭୁବନେଶ୍ବରରେ Water Treatment Plant ଓ Septage Treatment Plant ପରିଚାଳନା କରୁଥିବା ତୃତୀୟ ଲିଙ୍ଗର ସଦସ୍ୟା ତନୁଶ୍ରୀ ବେହେରା ଓ ମେଘନା ପ୍ରମୁଖ କହିଥିଲେ ଯେ ଆମ ପରିବାରରେ ବି ଆମର ସମ୍ମାନ ନ ଥିଲା । ଥିଲା କେବଳ ତିରସ୍କାର । ସମାଜ ଆମକୁ ଗ୍ରହଣ କରୁନଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଆମ ନିଜର ମୂଲ୍ୟ ଅଛି ବୋଲି ଅନୁଭବ କରୁଛୁ । ନିଜର ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ । ମୁଖ୍ୟମନ୍ତ୍ରୀଙ୍କୁ ସେଥିପାଇଁ କୋଟି କୋଟି ପ୍ରଣାମ ।