କେଦାରଗୌରୀ ମନ୍ଦିରରେ ମହାପ୍ରଭୁ ଲିଙ୍ଗରାଜ, ମାତା ପାର୍ବତୀଙ୍କୁ କରିବେ ବିବାହ

ଭୁବନେଶ୍ବର: ବାଦ ବିବାଦ ପରେ ଶେଷରେ ପାଳନ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା । ନିର୍ଦ୍ଧାରିତ ସମୟରେ ନୀତିକାନ୍ତି କରାଯିବା ସହ ମହାପ୍ରଭୁ ଲିଙ୍ଗରାଜ ବିରାଟ ଶୋଭାଯାତ୍ରାରେ କେଦାର ଗୌରୀ ମନ୍ଦିରରେ ପହଞ୍ଚିଛନ୍ତି । ଆଜି ବିବାହ ଉତ୍ସବ ସରିବା ପରେ ମାତା ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରକୁ ଫେରିବେ ମହାପ୍ରଭୁ ଲିଙ୍ଗରାଜ ।

ସୂଚନାଯୋଗ୍ୟ, ବାବା କପିଳେଶ୍ବରଙ୍କ ଆସିବାକୁ ନେଇ ଦେଖା ଦେଇଥିବା ବିବାଦର ସମାଧାନ ହୋଇ ପାରିନଥିଲା । ୨୦୧୫ ମସିହାରୁ ବାବା କପିଳେଶ୍ବର ଶୀତଳ ଷଷ୍ଠୀରେ ଲିଙ୍ଗରାଜ ମନ୍ଦିରକୁ ଆସୁନାହାନ୍ତି । ପ୍ରଶାସନିକ ସ୍ତରରେ ଲିଙ୍ଗରାଜ ମନ୍ଦିର ସେବାୟତ ଓ କପିଳେଶ୍ବର ମନ୍ଦିର ସେବାୟତଙ୍କୁ ନେଇ ସମସ୍ୟାର ସମାଧାନ ପାଇଁ ବୈଠକ ବସିଥିଲା । ଯାହା ବିଫଳ ହୋଇଯିବା ପରେ ଗତ ୭ ବର୍ଷ ପରି ଚଳିତବର୍ଷ ମଧ୍ୟ କପିଳେଶ୍ବର ଆସି ନଥିଲେ । ଏହାପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ଶିବ ବିବାହ ପାଇଁ ମଙ୍ଗନ ନୀତି ସରି ସେବା ପୂଜା ଠିକ୍ ଭାବେ ଶେଷ ହୋଇଥିଲା । ମହାପ୍ରଭୁଙ୍କ ବିବାହ କାର୍ଯ୍ୟରେ ସବୁ ନିଯୋଗ ସହଯୋଗ କରିଥିଲେ । ବ୍ରାହ୍ମଣ ନିଯୋଗ, ପୂଜା ପଣ୍ଡା ନିଯୋଗ, ବଡୁ ନିଯୋଗ, କ୍ଷେତ୍ରବାସୀ ଆପୋଟିଆ ନିଯୋଗ ସମେତ ସମସ୍ତ ନିଯୋଗଙ୍କ ସହଯୋଗରେ ନୀତିକାନ୍ତି ଶେଷ ହେବା ପରେ ଭୋର ପ୍ରାୟ ୪ଟାରେ ମହାପ୍ରଭୁ ଲିଙ୍ଗରାଜ ରୋଷଣୀ ଶୋଭାଯାତ୍ରାରେ କେଦାର ଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ ।

ଏକ ବିରାଟ ପଟୁଆରରେ ବାଜା, ବାଣ, ଘଣ୍ଟ, ମହୁରୀ, ଢୋଲ ଓ ବିଭିନ୍ନ ପ୍ରକାର ପାରମ୍ପାରିକ ନୃତ୍ୟ ସହ ପ୍ରଭୁ କେଦାର ଗୌରୀ ମନ୍ଦିରରେ ପହଞ୍ଚିଥିଲେ । ଭୋର ପ୍ରାୟ ୫ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ବରଣୀ କରାଯାଇ କେଦାର ଗୌରୀ ମନ୍ଦିରକୁ ନିଆଯାଇଥିଲା । ସେଠାରେ ରୀତି ନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମାପନ ହୋଇଛି । ମାତା ପାର୍ବତୀଙ୍କୁ ବିବାହ ପରେ ମହାଦେବ ଶୋଭାଯାତ୍ରାରେ ପୁଣି ଲିଙ୍ଗରାଜ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ।