ଜୁଲାଇ ୧ରୁ ଦେଶରେ ବ୍ୟାନ୍‌ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଜୁଲାଇ ୧ରୁ ଦେଶରେ ବ୍ୟାନ ହେବ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ । ଏଥିରୁ ପ୍ରସ୍ତୁତ ସାମଗ୍ରୀରେ ବ୍ୟାନ ଲଗାଇବାପାଇଁ ଘୋଷଣା କରିଛି ପରିବେଶ ମନ୍ତ୍ରାଳୟ । ଏକକ ବ୍ୟବହାର ପ୍ଲାଷ୍ଟିକରେ ତିଆରି ବସ୍ତୁ କମ ବ୍ୟବହାର ହେବା ସହ ଆବର୍ଜନା ସୃଷ୍ଟି କରିଥାଏ । ଯେଉଁଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ଆସନ୍ତା ଜୁଲାଇ ୧ରୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ପ୍ରସ୍ତୁତି, ଆମଦାନୀ, ଷ୍ଟକ, ବିତରଣ, ବିକ୍ରି ଓ ବ୍ୟବହାରରେ ପ୍ରତିବନ୍ଧକ ଲାଗିବ । ପ୍ଲାଷ୍ଟିକ କପ, ଗ୍ଲାସ, ଚାମଚ, ଛୁରୀ, ଷ୍ଟ୍ର, ପିବିସିରେ ତିଆରି ୧୦୦ ମାଇକ୍ରୋନରୁ କମ ମୋଟା ବ୍ୟାନର ଆଉ ବଜାରରେ ଦେଖିବାକୁ ମିଳିବନି  । ଏହା ବ୍ୟତୀତ ବେଲୁନ, ଇଅର ବଡ, ଆଇସକ୍ରିମ, କ୍ୟାଣ୍ଡି (ଚକୋଲେଟ)ରେ ବ୍ୟବହୃତ ପ୍ଲାଷ୍ଟିକ କାଠିକୁ ବି ବାଦ୍‌ ଦିଆଯାଇଛି ।

ପ୍ରତିବନ୍ଧିତ ବସ୍ତୁରେ ମିଠାଡବା, ସିଗାରେଟ ପ୍ୟାକେଟ, ନିମନ୍ତ୍ରଣ କାର୍ଡ ବି ସାମିଲ ରହିଛି । ସାଧାରଣତଃ ପ୍ଲାଷ୍ଟିକ ପେପର ଗୁଡିକ ପ୍ୟାକେଜିଂ ଉଦ୍ଦ୍ୟୋଗରେ ବହୁଳ ଭାବରେ ବ୍ୟବହୃତ ହୁଏ  । ଏହା ଆଦ୍ରର୍ତାକୁ ନିୟନ୍ତ୍ରଣ କରି ସାମଗ୍ରୀକୁ ଖରାପ ହେବାରୁ ରକ୍ଷା କରିଥାଏ ।

ପୂର୍ବରୁ ବି ପ୍ଲାଷ୍ଟିକ ନିର୍ମିତ କିଛି ସାମଗ୍ରୀ ଉପରେ ସରକାର କଟକଣା ଲଗାଇଥିଲେ । ଏଥିରେ ୭୫ ମାଇକ୍ରୋନରୁ କମ ମୋଟା ଯୁକ୍ତ ପ୍ଲାଷ୍ଟିକ କ୍ୟାରି ବ୍ୟାଗର ପ୍ରସ୍ତୁତି, ଆମଦାନୀ, ବିତରଣ, ବିକ୍ରି ଓ ବ୍ୟବହାର ସାମିଲ ଅଛି । ସେହିପରି ଆଗାମୀ ଡିସେମ୍ବର ୩୧, ୨୦୨୨ରୁ ୧୨୦ ମାଇକ୍ରୋନରୁ କମ ମୋଟେଇଯୁକ୍ତ ପ୍ଲାଷ୍ଟିକ ବ୍ୟବହାର ରେ ପ୍ରତିବନ୍ଧକ ଲାଗିବ ।

ମନ୍ତ୍ରାଳୟ କହିଛି ଯେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବି ନିଜ ସୀମାରେ ଚେକପଏଣ୍ଟ କରି କଡା ଯାଞ୍ଚ କରିବେ  । ଯେପରି ଏହି ସାମଗ୍ରୀ ଅନ୍ୟ ରାଜ୍ୟକୁ ପହଞ୍ଚି ପାରିବ ନାହିଁ । ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଯୋଗୁଁ କେବଳ ସ୍ଥଳଭାଗ ନୁହେଁ ସମୁଦ୍ର ପରିବେଶ ବି ଦୂଷିତ ହେଉଥିବା କହିଛି ପରିବେଶ ମନ୍ତ୍ରାଳୟ ।