ପୁଣି କେକେଆରର ଅଧିନାୟକ ହେଲେ ଶ୍ରେୟସ ଆୟାର

କୋଲାକାତା: ଆଇପିଏଲ ୨୦୨୪ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଦଳମାନେ କିଛି ଖେଳାଳିଙ୍କୁ ଛାଡ଼ିଥିବାବେଳେ ଆଉ କିଛି ଖେଳାଳିଙ୍କୁ ରିଟେନ କରିଛନ୍ତି । ତେବେ ସମସ୍ତ ଦଳ ଚାମ୍ପିୟନ ହେବା ଲକ୍ଷ୍ୟରେ ନିଜର ଟିମ ପ୍ରସ୍ତୁତ କରୁଛନ୍ତି । ନିଲାମୀରେ କିଏ କାହାକୁ କିଣିବ ତାକୁ ନେଇ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ପୁଣିଥରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିବେ ଶ୍ରେୟସ ଆୟାର । କେକେଆର ପକ୍ଷରୁ ଭେଙ୍କି ଏହି ସୂଚନା ଦେଇଛନ୍ତି । ୨୦୨୨ ସିଜିନରେ କେକେଆର ଦଳର ଅଧିନାୟକ ଭାବେ ଖେଳି ଶ୍ରେୟସ ଦମଦାର ପ୍ରଦର୍ଶନ କରିଥିଲେ । ତେବେ ୨୦୨୩ରେ ଆହତ କାରଣରୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିପାରିନଥିଲେ । ମାତ୍ର ଏବେ ଦଳ ତାଙ୍କ ଉପରେ ଭରସା ରଖିଥିବାବେଳେ ପୁଣିଥରେ ଗୁରୁ ଦାୟିତ୍ବ ଦେଇଛି ।

୨୦୨୩ ସିଜିନରେ ନୀତିଶ ରାଣା କୋଲକାତାର ଅଧିନାୟକଭାବେ ଦଳର ମଙ୍ଗ ଧରିଥିଲେ । ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା କ୍ବାଲିଫାୟର ଖେଳିପାରି ନଥିଲା । ଦଳ ଏବେ ନୀତିଶ ରାଣାଙ୍କୁ ଉପଅଧିନାୟକ ପଦ ଦେଇଛି । ସେପଟେ ଗୌତମ ଗମ୍ଭୀର ପୁଣିଥରେ କୋଲକାତା ସହ ଯୋଡ଼ି ହୋଇଛନ୍ତି । ସେ ମେଣ୍ଟରଭାବେ ଚଳିତ ସିଜିନରେ କୋଲକାତାରେ ଯୋଗ ଦେଇଛନ୍ତି । ଦଳ ଚଳିତ ସିଜିନରେ ଏକ ବଡ଼ ମିଶନ ନେଇ ମଇଦାନକୁ ଓହ୍ଲାଇବ ।