ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତ୍ରକୁ କାର୍ଯ୍ୟକାରୀ କରିବେ ମା’ ମାନେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ମନ୍ତ୍ରକୁ କାର୍ଯ୍ୟକାରୀ କରିବେ ମା’ ମାନେ । ମା’ ମାନେ ଘରର ପୋଲିସ ସଦୃଶ୍ୟ । ଏଣିକି ସେମାନେ ଘରେ ଜାରି କରନ୍ତୁ ଅନୁଶାସନ । ବିନା କାରଣରେ ଘରୁ କେହି ବାହାରକୁ ବାହାରିବେ ନାହିଁ । ଆଜି ରାଜ୍ୟର ଲକ୍ଷ ଲକ୍ଷ ମା’ ମାନଙ୍କୁ ଏଭଳି ଅପିଲ କରିଛନ୍ତି ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ । ରାଜ୍ୟ ସରକାରଙ୍କ କରୋନା ଯୁଦ୍ଧରେ ରାଜ୍ୟର ୭୦ ଲକ୍ଷ ମହିଳା ସରକାର ଓ ପ୍ରଶାସନ ସହ ସହଭାଗୀ ହୋଇ କାମ କରୁଛନ୍ତି । ଏବେ ଯେଉଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ମା’ ମାନେ ଆଗେଇ ଆସି ଘରେ ଅନୁଶାସନ ଜାରି କରିବାକୁ ସେ ନିବେଦନ କରିଛନ୍ତି । ସାଧାରଣ ଭାବେ ଲୋକଙ୍କ ଦୈନିକ ହାଟକୁ ଯିବାର ଅଭ୍ୟାସ ରହିଛି । ମା’ ମାନେ ଚାହିଁଲେ ଏହି ଅଭ୍ୟାସ ଭାଙ୍ଗିପାରିବେ । କରୋନାକୁ ନେଇ ଆମେ ଆତଙ୍କିତ ହେବା ଉଚିତ ନୁହେଁ । କାରଣ ଏହି ଭାଇରସ ଯେତିକି ଭୟାନକ ତାର ପ୍ରତିକାର ମଧ୍ୟ ସେତିକି ସରଳ । ଏହି ଭାଇରସମାନେ ଅହଂକାରୀ । ଘର ବାହାରକୁ ଯାଇ ନଡାକିଲେ ସେମାନେ ଘରକୁ ଆସିବେ ନାହିଁ । ତେଣୁ ନିଜ ପରିବାର ଓ ସମାଜ ପାଇଁ ସ୍ୱାଧୀନତା ସଂଗ୍ରାମୀଙ୍କ ପରି ତ୍ୟାଗ କରିବାକୁ ପଡିବ । ଲୋକେ ନିଜ ଦାୟିତ୍ୱ ନିଜେ ତୁଲାଇଲେ ଏହି ରୋଗ ଚାଲିଯିବ । ଆମ ହାତରେ ଆମ ଭ୍ୟାକସିନ ରହିଛି । ସମାଜିକ ଦୂରତା ବଜାୟ ରଖିବା ସହ ବାହାରକୁ ଯିବାନି ଏବଂ ନିୟମିତ ହାତ ଧୁଅନ୍ତୁ । ମା ମାନେ ନିଜ ଘରେ ଏହି ଅନୁଶାସନ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ମିଶନ ଶକ୍ତି କମିଶନର । ଏଥିସହିତ କରୋନା ମୁକାବିଲା ନେଇ ଯେଉଁ ଇସ୍ତାହାର ଜାରି କରିଥିଲେ ତାକୁ ମିଶନ ଶକ୍ତିର ମହିଳାମାନେ ମାତ୍ର ତିନି ଦିନରେ ସବୁ ଗାଁ ଓ ପୌରାଞ୍ଚଳରେ ବାଣ୍ଟିଥିବା ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି । ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ଶପଥ ପାଠ କରାଇଥିଲେ ସେଥିରେ ଉତ୍ସାହିତ ହୋଇ ଲକ୍ଷାଧିକ ମହିଳା ନିଜ ଘରୁ ଏବଂ ଗାଁରୁ ଶପଥ ପାଠର ଭିଡିଓ ପଠାଇଥିଲେ । ସେହିପରି ବ୍ରହ୍ମପୁର, କେନ୍ଦ୍ରାପଡା, କଟକ, ଛତ୍ରପୁର ଆଦି ଅନେକ ସ୍ଥାନରେ ହିଳା ସ୍ୱୟଂ ସହାୟିକାମାନେ ପ୍ରାୟ ୬ଶହ ରାସନ ଦୋକାନ କରି ଲୋକଙ୍କୁ ଅତ୍ୟାବଶ୍ୟକ ସମାଗ୍ରୀ ଯୋଗାଇଦେଉଛନ୍ତି । ଏଭିତରେ ମହିଳା ସ୍ୱୟଂ ସହାୟିକାମାନେ ୨୫ ଲକ୍ଷରୁ ଅଧିକ ମଧ୍ୟାହ୍ନ ଭୋଜନ ଅସହାୟ ଓ ନିରାଶ୍ରୟଙ୍କୁ ବାଣ୍ଟିସାରିଲେଣି । ୧୨ ଲକ୍ଷରୁ ଅଧିକ ହାତ ତିଆରି ମାସ୍କ ତିଆରି କରି ସରକାରୀ, ବେସରକାରୀ, ଡାକ୍ତରଖାନା, ସ୍ୱାସ୍ଥ୍ୟକର୍ମୀଙ୍କୁ ବାଣ୍ଟାଯାଇଛି । ନିଜ ପାଣ୍ଠିରୁ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ମଧ୍ୟ ସହାୟତା ଦେଇଛନ୍ତି ମହିଳା ସ୍ୱୟଂ ସହାୟିକାମାନେ ।

Leave a Reply