ଲକ୍‌ଡାଉନ୍ ମାନିଲେନି, ସରପଞ୍ଚ ଲାଗୁ କଲେ ସଟ୍‌ଡାଉନ୍‌

1 min read

ବ୍ରହ୍ମପୁର: ସଟ୍‌ଡାଉନ୍ ହେଲେ ଶେରଗଡ଼ ପଞ୍ଚାୟତ । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ଶେରଗଡ ପଞ୍ଚାୟତକୁ ୫ ଦିନିଆ ସଟଡାଉନ କରିଛନ୍ତି ମହିଳା ସରପଞ୍ଚ । ରାଜ୍ୟସରକାରଙ୍କ ପକ୍ଷରୁ  ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି ସତ କିନ୍ତୁ ଏଥିରେ କିଛି ମାତ୍ରାରେ ଢିଲା ଥିବାରୁ ଲୋକେ ଅମାନିଆ ହୋଇପଡୁଛନ୍ତି । ତେଣୁ ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଶେରଗଡ଼ ପଞ୍ଚାୟତକୁ ୫ ଦିନିଆ ସଟଡାଉନ ଘୋଷଣା କରିଛନ୍ତି  ।

ପ୍ରଶାସନ ସହଯୋଗରେ ସଚେତନ ରାଲି କରାଯାଇ ଦୋକାନ ବଜାର ବନ୍ଦ କରିବା ସହ ଲୋକେ ଯେମିତି ଘରୁ ବାହାରିବେ ନାହିଁ ସେନେଇ  ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଶେରଗଡର ପ୍ରତ୍ୟେକ ସଂଯୋଗ ପଥ ସିଲ କରି ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି l

ତେବେ ଗତ ୧୭ ତାରିଖ ଠାରୁ ରାଜ୍ୟର ୪ ଜିଲ୍ଲା ଓ ଗୋଟିଏ ମ୍ୟୁନସିପାଲଟି କର୍ପୋରେସନରେ ୧୪ ଦିନିଆ ଲକ୍‌ଡାଉନ୍ ଜାରି କରାଯାଇଛି । ଯାହା ମଧ୍ୟରେ ରହିଛି ସମଗ୍ର ଗଞ୍ଜାମ ଜିଲ୍ଲା । ଏହି ସମୟରେ କିଛି ନିର୍ଦ୍ଦିଷ୍ଟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।

କେବଳ ସକାଳ ୬ଟାରୁ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲାଯିବାକୁ ଅନୁମତି ଦିଆଯାଇଛି । ଅତ୍ୟନ୍ତ ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ଏସବୁ ସତ୍ତ୍ୱେ କିଛି ଅମାନିଆଙ୍କ ଅସାବଧାନତା ଯୋଗୁଁ କଠୋର ନିଷ୍ପତ୍ତି ନେଇଛନ୍ତି ଶେରଗଡ଼ ସରପଞ୍ଚ । ଏବଂ ସମଗ୍ର ବ୍ଳକକୁ ସଟଡାଉନ୍‌ ଘୋଷଣା କରିଛନ୍ତି ।

Leave a Reply