କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କ ସହ ସେଲଫି ନେଇ ଚର୍ଚ୍ଚାରେ ଶଶୀ ଥରୁର୍

ନୂଆଦିଲ୍ଲୀ: ପୁଣି କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ନେଇ ଚର୍ଚ୍ଚା । କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କ ସହ ସେଲଫିକୁ ନେଇ ରାଜନୈତିକ ଶିବିରରେ ଆଲୋଚନା । ଏହି ସେଲଫିକୁ ପୋଷ୍ଟ କରିଛନ୍ତି ଖୋଦ୍ ଥରୁର । କିଛି ଦିନ ପୂର୍ବରୁ କେରଳ ଏଲଡିଏଫ ସରକାରଙ୍କୁ ପ୍ରଶଂସା କରି କଂଗ୍ରେସ ହାଇକମାଣ୍ଡଙ୍କ ରୋଷର ଶିକାର ହୋଇଥିଲେ ଥରୁର । ପରେ ଦିଲ୍ଲୀରେ କେରଳ କଂଗ୍ରେସର ବୈଠକରେ ରାଜ୍ୟ କଂଗ୍ରେସ ଏକ ରହିଛି ବୋଲି ପୋଷ୍ଟ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ଥରୁର କହିଛନ୍ତି, ରାଜନୈତିକ ମତପାର୍ଥକ୍ୟ ସତ୍ତ୍ବେ କେରଳର ବିକାଶ ପାଇଁ ମିଳିତ ଚେଷ୍ଟା କରାଯାଉଛି । ଥିରୁବନନ୍ତପୁରମ ଏମପି ଥରୁର ବିଜୟନଙ୍କ ସମେତ କେରଳ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକାରଙ୍କ ସହ ବି ସେଲଫି ନେଇ ତାହାକୁ ପୋଷ୍ଟ କରିଥିଲେ । କେରଳର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଦିଲ୍ଲୀରେ ରାଜ୍ୟପାଳ ଆର୍ଲେକାର ଏକ ନୈଶ୍ୟ ଭୋଜନର ଆୟୋଜନ କରିଥିଲେ । ସେଥିରେ କେରଳର ସାଂସଦମାନେ ସାମିଲ ହୋଇଥିଲେ । ନିକଟରେ ଏକ ଖବରକାଗଜରେ ଥରୁର କେରଳ ଏଲଡିଏଫ ସରକାରଙ୍କ ଅର୍ଥନୀତି ପରିଚାଳନାକୁ ପ୍ରଶଂସା କରିଥିଲେ ଯାହାକୁ କଂଗ୍ରେସ ସମାଲୋଚନା କରିଥିବାବେଳେ ସିପିଏମ ସ୍ବାଗତ କରିଥିଲା । କେରଳ ବିଧାନସଭାର ବିରୋଧୀ ଦଳ ନେତା ଭି.ଡି. ସଥୀସାନ ସାଂସଦ ଥରୁରଙ୍କ ଏଭଳି ଆଚରଣ ନେଇ ପୂର୍ବରୁ ପ୍ରଶ୍ନ ଉଠାଇଥିଲେ । ସେହିପରି ଥରୁରଙ୍କ ବୟାନ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ।