ୟୁପିରେ ଲୁଚିଥିଲେ ବେଶ୍ୟାଳୟ ଚଲାଉଥିବା ମେଘାଳୟ ବିଜେପି ଉପସଭାପତି, ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ମେଘାଳୟରେ ବେଶ୍ୟାଳୟ ଚଲାଉଥିବା ଅଭିଯୁକ୍ତ ବିଜେପି ନେତାଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି । ମେଘାଳୟ ବିଜେପିର ଉପସଭାପତି ବର୍ଣ୍ଣାଡ ଏନ ମାରକଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ମେଘାଳୟ ପୋଲିସ ମାରକଙ୍କୁ ଟ୍ରାଞ୍ଜିଟ ରିମାଣ୍ଡ ଜରିଆରେ ମେଘାଳୟ ଆଣିବା ପାଇଁ ଉତ୍ତରପ୍ରଦେଶ ଯାଇଛି । ମେଘାଳୟ ପୋଲିସ ମାରକଙ୍କୁ ଗିରଫ କରିବା ପାଇଁ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା ।

ମାରକଙ୍କୁ ପୋକ୍ସୋ ଏବଂ ଅନୈତିକ ଦେହ ବେପାର ଆଇନ ସହିତ ଆଇପିସିର ଅନେକ ଧାରା ଆଧାରରେ ଗିରଫ କରାଯାଇଛି । ମାରକଙ୍କୁ ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାରୁ ଗିରଫ କରିଛି ପୋଲିସ । ତାଙ୍କ ବିରୋଧରେ ମେଘାଳୟର ତୁରାରେ ନିଜ ଫାର୍ମହାଉସରେ ବେଶ୍ୟାଳୟ ଚଲାଉଥିବାର ଅଭିଯୋଗ ରହିଛି । ଶନିବାର ରେଡ୍ ସମୟରେ ଛଅ ଜଣ ନାବାଳିକଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ତାଙ୍କ ଫାର୍ମହାଉସ ରିମ୍ପୁ ବାଗାନରୁ ୭୩ ଜଣଙ୍କୁ ଗିରଫ କରାଯାଇଥିଲା ।

ଏହା ପରେ ମାରକ ଫେରାର ହୋଇଯାଇଥିଲେ । ପୋଲିସ କହିଥିଲା ମାରକଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ କୁହାଯାଇଥିଲା ହେଲେ ସେ ସହଯୋଗ କରିବା ଦୂରର କଥା ତାଙ୍କର ଦର୍ଶନ ମିଳୁନାହିଁ  ।  ପୋଲିସ କହିଥିଲା ରେଡ୍ ସମୟରେ ୪୭ ଯୁବକ ଏବଂ ୨୬ ମହିଳାଙ୍କୁ ହେପାଜତରେ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ ଅନେକ ନଗ୍ନ ଏବଂ ନିଷାସକ୍ତ ଅବସ୍ଥାରେ ଥିଲେ । ଛୋଟ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ଏହା ବ୍ୟତୀତ ବିପୁଳ ପରିମାଣରେ ମଦ, ୫୦୦ ପ୍ୟାକେଟ କଣ୍ଡୋମ, ସେଲଫୋନ ଏବଂ ଆପତ୍ତିଜନକ ଦସ୍ତାବିଜ ଜବତ କରାଯାଇଥିଲା ।  କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱେରେଣ୍ଟ ଜାରି କରିଥିଲେ ।