ପାହାଡ଼ କାଟି ୫ କିଲୋମିଟରର କେନାଲ ଖୋଲିଲେ ୭୦ ବର୍ଷୀୟ ବୃଦ୍ଧ, ଲାଗିଲା ୩୦ ବର୍ଷ
1 min readପାଟଣା: ମାଉନଣ୍ଟେନ୍ ମ୍ୟାନ୍ ଦଶରଥ ମାଞ୍ଝିଙ୍କ କାହାଣୀ ଆପଣ ଶୁଣିଥିବେ ବା ସିନେମାରେ ଦେଖିଥିବେ । ଆଜି ଆମେ ଆଉ ସେହିଭଳି ଏକ ସତ ଘଟଣା ବିଷୟରେ କହୁଛୁ । ଇଏ ବି ଜଣେ ମାଉନଣ୍ଟେନ୍ ମ୍ୟାନ୍ । ଯିଏ ୩୦ ବର୍ଷର ପରିଶ୍ରମରେ କାଟିଛନ୍ତି ପାହାଡ଼, ଖୋଳିଛନ୍ତି ୫ କିଲୋମିଟର ଦୂରତ୍ୱର କେନାଲ । ବର୍ଷା ହେଲେ ପାହାଡ଼ କରୋଡ଼ରୁ ଝର ଝର ହୋଇ ପାଣି ଗାଁକୁ ଆସୁଛି, କ୍ଷେତରେ ଫସଲ ହେଉଛି । ଉପକୃତ ହେଉଛନ୍ତି ଆଖପାଖ ୩ଟି ଗାଁର ଲୋକ । ମାଉଣ୍ଟେନ୍ ମ୍ୟାନଙ୍କ କାହାଣୀ ହେଉଛି ବିହାର ଗୟା ଜିଲ୍ଲାର ।
ଗୟାଠାରୁ ୯୦ କିଲୋମିଟର ଦୂର ବାଙ୍କୋବଜାର ଉପଖଣ୍ଡର ଲୁଟୁଆ ପଞ୍ଚାୟତର କୋଠିଲୱା ଗାଁରେ ୭୦ ବର୍ଷୀୟ ଲୌଙ୍ଗି ଭୂଇଁୟା ୩୦ ବର୍ଷରେ କରିଛନ୍ତି କମାଲ୍ । ନିଜ ପରିଶ୍ରମରେ କାଟିଛନ୍ତି ପାହାଡ଼, ୫ କିମି ବୁହାଇଛନ୍ତି ପାଣି । ଲୌଙ୍ଗି ପ୍ରଥମେ ବର୍ଷା ପରେ ପାହାଡ଼ରୁ ଖସୁଥିବା ପାଣିକୁ ସଞ୍ଚୟ କରିଥିଲେ । ପରେ ସେହି ପାଣିକୁ ଗାଁ ଯାଏଁ ପହଞ୍ଚାଇବା ପାଇଁ ଆରମ୍ଭ କରିଥିଲେ ଉଦ୍ୟମ । ପ୍ରତିଦିନ ଘରୁ ଜଙ୍ଗଲକୁ ଯାଇ କେନାଲ ଖୋଳିବା ଆରମ୍ଭ କରିଥିଲେ ।
ଗାଁରେ ପାଣି ଅଭାବରୁ କେବଳ ମକା ଓ ଚଣା ଚାଷ ହୁଏ । ରୋଜଗାର ସନ୍ଧାନରେ ଲୌଙ୍ଗିଙ୍କ ପୁଅ ସହର ଯାଇଥିଲେ, କାରଣ ଗାଁର ଅଧିକାଂଶ ପୁରୁଷ ଅନ୍ୟ ରାଜ୍ୟରେ ଯାଇ କାମ କରନ୍ତି । ଆସ୍ତେ ଆସ୍ତେ ଗାଁରେ ଅଧାରୁ ଅଧିକ ଲୋକ ସହରକୁ କାମ ପାଇଁ ପଳାଇଲେ । ଏହାରି ଭିତରେ ଲୌଙ୍ଗି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ସେଠାରେ ସେ ଭାବିଥିଲେ ଗାଁକୁ ପାଣି ଆସିଲେ ଲୋକ ଆଉ ବାହାରକୁ ଯିବେନି । ଫସଲ କରି ରୋଜଗାର କରିପାରିବେ ।
ତାପରେ ଆରମ୍ଭ କରିଥିଲେ ମିଶନ ପାଣି । ବଙ୍ଗେଠା ପାହାଡ଼କୁ ଆଖିରେ ରଖି ଆଙ୍କିଥିଲେ ନକ୍ସା । ନକ୍ସା ଅନୁସାରେ ବଳକା ସମୟରେ କେନାଲ ଖୋଳିବା ଆରମ୍ଭ କରି ଦେଇଥିଲେ । ୩୦ ବର୍ଷର ପରିଶ୍ରମ ପରେ ଗାଁକୁ ପହଞ୍ଚିଛି ପାଣି । ବର୍ଷା ପାଣିକୁ ଗାଁ ମୁଣ୍ଡରେ ଗଚ୍ଛିତ କରି ରଖିବା ସହ ଚାଷ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ।
ଅଞ୍ଚଳରେ ୩ଟି ଗାଁର ପ୍ରାୟ ୩ ହଜାର ଲୋକ ଏବେ କେନାଲ ପାଣିରୁ ଲାଭ ପାଉଛନ୍ତି । ଲୌଙ୍ଗି ଭୂଇୟାଁ କୁହନ୍ତି- ପତ୍ନୀ, ବୋହୂ ଓ ପୁଅ ସମସ୍ତେ ଏହି କାମ କରିବାକୁ ପ୍ରଥମେ ମନା କରିଥିଲେ । କହିଥିଲେ- ବିନା ମଜୁରୀ କାମ କାହିଁକି କରୁଛନ୍ତି । ଏମିତି କି କିଛି ଲୋକ ଲୌଙ୍ଗିଙ୍କୁ ପାଗଳ ବୋଲି ଭାବୁଥିଲେ । କିନ୍ତୁ ଯେବେ କେନାଲରେ ପାଣି ଆସି କ୍ଷେତରେ ମାଡ଼ିଲା ତ ସମସ୍ତେ ଲୌଙ୍ଗିଙ୍କ ପ୍ରଂଶସା କରିବାରେ ଲାଗିଲେ ।
ଭୂଇଁୟା କହିଛନ୍ତି- ସରକାର ଯଦି ଆମକୁ ଟ୍ରାକ୍ଟର ଦେବେ ତ ବନ ବିଭାଗର ଖାଲି ପଡ଼ିଥିବା ଚାଷ ଉପଯୋଗୀ କରି ଲୋକ ପରିବାର ପ୍ରତିପୋଷଣ କରିପାରିବେ । ସେହିପରି ଗାଁର ମୁଖିଆ ସମୋଦ କୁମାର କହିଛନ୍ତି- ସରକାର ଲୌଙ୍ଗି ଭୂଇଁୟାଙ୍କୁ ପେନସନ ଓ ଆବାସ ଯୋଜନାରେ ଘର ଦେବା ଦରକାର । ସେ ନିଜ ପାଇଁ ନୁହେଁ ବରଂ ଗାଁ ଲୋକଙ୍କ ପାଇଁ ପରିଶ୍ରମ କରିଛନ୍ତି ।