spot_img

Latest Posts

ଆଖିର ୫ଟି ନୀରବ ସତର୍କତା: ଜାଣନ୍ତୁ କେତେବେଳେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବେ

ନନ୍ଦିଘୋଷ ବ୍ୟୁରୋ: ଦୃଷ୍ଟିଶକ୍ତି ଜନିତ ସମସ୍ୟା ଦୈନନ୍ଦିନ ଜୀବନକୁ ପ୍ରଭାବିତ ନ କରିବା ପର୍ଯ୍ୟନ୍ତ ସାଧାରଣତଃ ଆମେ ଆଖିର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇନଥାଉ। ଅନେକ ଲୋକ ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ କ୍ଲାନ୍ତି, ବୟସ ବୃଦ୍ଧି କିମ୍ବା ଅତ୍ୟଧିକ ସ୍କ୍ରିନ୍ ଟାଇମ୍ (ମୋବାଇଲ/ଲାପଟପ୍ ବ୍ୟବହାର) ଭାବି ଏଡ଼ାଇ ଯାଆନ୍ତି। ତେବେ, କୌଣସି ବଡ଼ ଧରଣର ଦୃଷ୍ଟିହାନି ହେବା ପୂର୍ବରୁ ଆପଣଙ୍କ ଆଖି ଶରୀରର କେତେକ ଗୁରୁତର ସମସ୍ୟା ବିଷୟରେ ନୀରବରେ ସଙ୍କେତ ଦେଇଥାଏ। ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକ ପ୍ରତିରୋଧ କରାଯାଇପାରୁଥିବା ଦୃଷ୍ଟିଦୋଷ ଦ୍ୱାରା ପ୍ରଭାବିତ ହେଉଥିବାରୁ, ଏହି ପ୍ରାରମ୍ଭିକ ସତର୍କତା ସଙ୍କେତଗୁଡ଼ିକୁ ଚିହ୍ନିବା ଅତ୍ୟନ୍ତ ଜରୁରୀ।

ସାରା ବିଶ୍ୱରେ ୪୩ ମିଲିୟନରୁ ଅଧିକ ଲୋକ ଦୃଷ୍ଟିହୀନ, ୨୯୫ ମିଲିୟନ ମଧ୍ୟମରୁ ଗୁରୁତର ଦୃଷ୍ଟିଦୋଷ ସମ୍ପନ୍ନ, ୨୫୮ ମିଲିୟନ ସାମାନ୍ୟ ଦୃଷ୍ଟିଦୋଷ ଏବଂ ୫୧୦ ମିଲିୟନ ନିକଟଦୃଷ୍ଟି ଦୋଷରେ ପୀଡ଼ିତ। ଆଶ୍ଚର୍ଯ୍ୟର କଥା ହେଉଛି, ୯୦ ପ୍ରତିଶତରୁ ଅଧିକ ଦୃଷ୍ଟିହାନିକୁ ରୋକାଯାଇପାରିବ ଏବଂ ବିଶ୍ୱର ପ୍ରାୟ ୭୭୧ ମିଲିୟନ ଲୋକ ନିଜର ଦୃଷ୍ଟିହାନିକୁ ପ୍ରତିରୋଧ କିମ୍ବା ଚିକିତ୍ସା କରିପାରିଥାନ୍ତେ। ଅର୍ବିସ୍ (ଇଣ୍ଡିଆ)ର କଣ୍ଟ୍ରି ଡାଇରେକ୍ଟର ଡାକ୍ତର ଋଷି ରାଜ ବୋରା ‘ଟାଇମ୍ସ ନାଓ ହେଲ୍ଥ’କୁ କହିଛନ୍ତି, “ଏହି ସତର୍କତା ସଙ୍କେତଗୁଡ଼ିକୁ ଚିହ୍ନିବା ସମୟର ଆହ୍ୱାନ, କାରଣ ପ୍ରାରମ୍ଭିକ ଚିହ୍ନଟ ଦୀର୍ଘକାଳୀନ ଦୃଷ୍ଟିହାନି ରୋକିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।”

ଡାକ୍ତର ବୋରାଙ୍କ ଅନୁଯାୟୀ, ଆଖିର ଏପରି ୫ଟି ନୀରବ ଲକ୍ଷଣ ବିଷୟରେ ନିମ୍ନରେ ଆଲୋଚନା କରାଗଲା, ଯାହାକୁ ଆପଣ କଦାପି ଅଣଦେଖା କରିବା ଉଚିତ୍ ନୁହେଁ:

୧. କ୍ରମାଗତ ଅସ୍ପଷ୍ଟ କିମ୍ବା ପରିବର୍ତ୍ତନଶୀଳ ଦୃଷ୍ଟିଶକ୍ତି

ସ୍କ୍ରିନ୍‌ ଆଗରେ ଦୀର୍ଘ ସମୟ ବିତାଇବା ପରେ ଆଖି ସାମାନ୍ୟ ଅସ୍ପଷ୍ଟ ଦେଖାଯିବା ସ୍ୱାଭାବିକ। କିନ୍ତୁ ଯଦି ଆପଣଙ୍କ ଦୃଷ୍ଟିଶକ୍ତି ବାରମ୍ବାର ସ୍ପଷ୍ଟ ଏବଂ ଅସ୍ପଷ୍ଟ ମଧ୍ୟରେ ପରିବର୍ତ୍ତନ ହେଉଥାଏ, ତେବେ ଏହା ରିଫ୍ରାକ୍ଟିଭ୍ ଏରର (Refractive error)ର ସଙ୍କେତ ହୋଇପାରେ। ଡାକ୍ତର ବୋରା କୁହନ୍ତି, “ଏହି ଲକ୍ଷଣଗୁଡ଼ିକ ପ୍ରାରମ୍ଭିକ ମୋତିଆବିନ୍ଦୁ କିମ୍ବା ମଧୁମେହ (Diabetes) ଜନିତ ରକ୍ତରେ ଶର୍କରାର ସ୍ତରରେ ପରିବର୍ତ୍ତନକୁ ସୂଚାଇପାରେ।” ହଠାତ୍ ଅସ୍ପଷ୍ଟ ଦେଖାଯିବା – ବିଶେଷ କରି ଗୋଟିଏ ଆଖିରେ – ରେଟିନା କିମ୍ବା ଅପ୍ଟିକ୍ ନର୍ଭର ସମସ୍ୟା ହୋଇପାରେ, ଯାହା ପାଇଁ ତୁରନ୍ତ ଡାକ୍ତରୀ ପରାମର୍ଶ ଲୋଡ଼ା।

୨. ଆଖିର ଚାପ ଏବଂ ମୁଣ୍ଡବିନ୍ଧା

ଯଦି ଆପଣ ପଢ଼ିବା କିମ୍ବା ଲାପଟପ୍‌ରେ କାମ କରିବା ଭଳି ଦୈନନ୍ଦିନ କାର୍ଯ୍ୟ ସମୟରେ ନିୟମିତ ଭାବେ ମୁଣ୍ଡବିନ୍ଧା କିମ୍ବା ଆଖିରେ ଅସହଜତା ଅନୁଭବ କରୁଛନ୍ତି, ତେବେ ଏହା ଦୃଷ୍ଟିଶକ୍ତିର ତ୍ରୁଟି କିମ୍ବା ଆଖିର ଭାରସାମ୍ୟ ଠିକ୍ ନଥିବା ଦର୍ଶାଏ। ଡାକ୍ତର ବୋରା ଆହୁରି କହିଛନ୍ତି, “ସମୟ ସହିତ ଯଦି ଏହି ସମସ୍ୟା ଦୂର ନହୁଏ, ତେବେ ଏହା ଡ୍ରାଏ ଆଇ (Dry eye), ସଂକ୍ରମଣ କିମ୍ବା ପ୍ରଦାହ (Inflammation)ର ଉପସ୍ଥିତିକୁ ସୂଚାଏ। ଏହାର ସଠିକ୍ ପରିଚାଳନା ନହେଲେ ଆଖିର ଆରାମ ନଷ୍ଟ ହୁଏ ଏବଂ ଆଘାତର ଆଶଙ୍କା ବଢ଼ିଯାଏ।”

୩. ଆଖି ନାଲି ପଡ଼ିବା ଏବଂ କୁଣ୍ଡେଇ ହେବା

ଅନେକ ଲୋକ ଆଖି ନାଲି ପଡ଼ିବା ବା ଆଖିରୁ ଲୁହ ବାହାରିବାକୁ ଧୂଳି କିମ୍ବା ଆଲର୍ଜି ଭାବି ଅଣଦେଖା କରନ୍ତି। କିନ୍ତୁ କ୍ରମାଗତ ଭାବେ ଏପରି ହେବା ଡ୍ରାଏ ଆଇ ସିଣ୍ଡ୍ରୋମ, ସଂକ୍ରମଣ କିମ୍ବା ପ୍ରଦାହର ସଙ୍କେତ ହୋଇପାରେ। ଚିକିତ୍ସା ନକଲେ ଏହା ଆଖିର ଉପରିଭାଗକୁ ନଷ୍ଟ କରିପାରେ ଏବଂ ଜଟିଳତା ବଢ଼ାଇପାରେ।

୪. ରାତିରେ ଦେଖିବାରେ ସମସ୍ୟା ଏବଂ ଆଲୋକ ପ୍ରତି ସମ୍ବେଦନଶୀଳତା

ରାତିରେ ସ୍ପଷ୍ଟ ଭାବେ ଦେଖିବାରେ କଷ୍ଟ ହେବା କିମ୍ବା ଲାଇଟ୍‌ର ଚମକ (Glare) ଯୋଗୁଁ ଆଖି ଝଲସିଯିବା ପ୍ରାରମ୍ଭିକ ମୋତିଆବିନ୍ଦୁ କିମ୍ବା ରେଟିନାର ପରିବର୍ତ୍ତନକୁ ସୂଚାଇପାରେ। ଏହି ଲକ୍ଷଣଗୁଡ଼ିକ ଧୀରେ ଧୀରେ ବିକଶିତ ହୋଇଥାଏ, ଯାହାଫଳରେ ରାତିରେ ଗାଡ଼ି ଚଲାଇବା ଭଳି ଦୈନନ୍ଦିନ କାର୍ଯ୍ୟରେ ବାଧା ନଆସିବା ପର୍ଯ୍ୟନ୍ତ ଲୋକେ ଏହାକୁ ସହଜରେ ଅଣଦେଖା କରିଦିଅନ୍ତି।

୫. ଫ୍ଲୋଟର୍ସ ଏବଂ ଫ୍ଲାସେସ୍ (Floaters and Flashes)

ଡାକ୍ତର ବୋରାଙ୍କ ଅନୁଯାୟୀ, ବେଳେବେଳେ ଆଖି ଆଗରେ କଳା ଦାଗ ବା ବୁଢ଼ିଆଣୀ ଜାଲ ଭଳି ଦେଖାଯିବା (Floaters) ସାଧାରଣ ହୋଇପାରେ, କିନ୍ତୁ ଯଦି ହଠାତ୍ ଏହା ବଢ଼ିଯାଏ, ଆଲୋକର ଝଲକ (Flashes of light) ଦେଖାଯାଏ କିମ୍ବା ଆଖି ଆଗରେ ଅନ୍ଧାର ବା ଛାୟା ଦେଖାଯାଏ, ତେବେ ଏହା ‘ରେଟିନାଲ୍ ଡିଟାଚମେଣ୍ଟ’ (Retinal detachment – ଆଖି ପଛପଟ ପରଦା ଛିଣ୍ଡିଯିବା) ର ସଙ୍କେତ ହୋଇପାରେ। ଏହା ଏକ ଗୁରୁତର ସମସ୍ୟା ଯେଉଁଥିପାଇଁ ତୁରନ୍ତ ଡାକ୍ତରୀ ଚିକିତ୍ସା ଆବଶ୍ୟକ। “ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କଲେ ସ୍ଥାୟୀ ଭାବେ ଦୃଷ୍ଟିଶକ୍ତି ଚାଲିଯାଇପାରେ,” ବୋଲି ସେ ଚେତାବନୀ ଦେଇଛନ୍ତି।

ପ୍ରାରମ୍ଭିକ ଆଖି ପରୀକ୍ଷା କାହିଁକି ଗୁରୁତ୍ୱପୂର୍ଣ୍ଣ?

ଆଖି ପରୀକ୍ଷା କେବଳ ଚଷମାର ପାୱାର୍ ବଦଳାଇବା ପାଇଁ ନୁହେଁ। ଏହା ଗ୍ଲୁକୋମା (Glaucoma), ଡାଇବେଟିକ୍ ରେଟିନୋପାଥି (Diabetic retinopathy), ହାଇପରଟେନସିଭ୍ ଆଇ ଡିଜିଜ୍ (ଉଚ୍ଚ ରକ୍ତଚାପ ଜନିତ ଆଖି ସମସ୍ୟା) ଏବଂ ଅନ୍ୟାନ୍ୟ ରୋଗକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ଯାହା ନୀରବରେ ଶରୀରରେ ବଢ଼ିଥାଏ। ପ୍ରାରମ୍ଭିକ ନିଦାନ ଚିକିତ୍ସାକୁ ସହଜ କରିବା ସହ ଆଖିର ଅପୂରଣୀୟ କ୍ଷତିକୁ ରୋକିଥାଏ।

ଆଖିରେ କିଛି ସମସ୍ୟା ହେଲେ ସାଧାରଣତଃ ଯନ୍ତ୍ରଣା ହୋଇନଥାଏ, ଯାହା ଏହି ନୀରବ ସତର୍କତା ସଙ୍କେତଗୁଡ଼ିକୁ ଅଧିକ ବିପଜ୍ଜନକ କରିଥାଏ। ଯଦି ଆପଣ ଏହିପରି କୌଣସି ଲକ୍ଷଣ ଦେଖୁଛନ୍ତି, ତେବେ ଡାକ୍ତରଙ୍କ ପାଖକୁ ଯିବାରେ ବିଳମ୍ବ କରନ୍ତୁ ନାହିଁ। ନିୟମିତ ଆଖି ପରୀକ୍ଷା ଏବଂ ସଠିକ୍ ସମୟରେ ଚିକିତ୍ସା ଆପଣଙ୍କ ଦୃଷ୍ଟିଶକ୍ତି ଓ ସାମଗ୍ରିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବ।

Latest Posts

Don't Miss