ସବୁ ସ୍କୁଲରେ ପିଲା ପଢ଼ିଲେ ହକିର ବିଜୟ ଗାଥା, ଗଣଶିକ୍ଷା ବିଭାଗ ଦେଇଥିଲା ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ରାଜ୍ୟରେ ସବୁ ସ୍କୁଲରେ ପିଲାଙ୍କୁ ପଢ଼ାଯାଉଛି ହକିର ବିଜୟ ଗାଥା । ପ୍ରାର୍ଥନା ସଭାରେ ଭାରତୀୟ ହକିର ବିଜୟ ଗାଥା ପଢିଛନ୍ତି ଛାତ୍ରଛାତ୍ରୀ । ଏସିଆନ ଗେମ୍ସରେ ଭାରତୀୟ ହକି ଦଳ ସ୍ବର୍ଣ୍ଣ ଜିତି ଗୌରବ ଆଣିଛି । ଛାତ୍ରଛାତ୍ରୀଙ୍କୁ ହକିର ବିଜୟ ଗାଥା ସମ୍ପର୍କରେ ପଛାଇବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଥିଲା ଗଣଶିକ୍ଷା ବିଭାଗ ।

ଏହା ସହ ୨୦୨୪ ଅଲମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ଶୁଭେଛା ବାର୍ତ୍ତା ମଧ୍ୟ ଦେଇଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଭିତରେ ହକି ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ, ଓସେପା ପକ୍ଷରୁ ଦୁଇ ପୃଷ୍ଠା ହକି ଗାଥା ସମ୍ବଳିତ ବାର୍ତ୍ତା ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଦିଆଯାଇଛି । ଯାହାକୁ ପ୍ରାର୍ଥନା ସଭାରେ ପାଠ କରାଯିବା ସହ ଏହାର ଏହାର ଫଟୋ ଓସେପାକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏସିଆ କ୍ରୀଡ଼ାରେ ଭାରତ ସ୍ବର୍ଣ୍ଣ ଜିତିବା ସହ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବିଜୟୀ ଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତ ରୋହିଦାସ ପ୍ରତିନିଧିତ୍ବ କରୁଥିଲେ । ଭାରତୀୟ ହକି ପାଇଁ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ । ଏକାଧିକ ଅଲିମ୍ପିଆନ ଓଡ଼ିଶାରୁ ସୃଷ୍ଟି ହୋଇଛନ୍ତି । ଓଡ଼ିଶା ଜାତୀୟ ହକିର ପ୍ରାୟୋଜକ ରହିବା ସହ ଉନ୍ନତ ଭିତ୍ତିଭୂମି ପ୍ରତିଷ୍ଠା କରି କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦେଉଛି । ସୁନ୍ଦରଗଡ଼ରେ ବିଶ୍ବର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କରାଯାଇଛି ।

ଦୁଇଦୁଇ ଥର ବିଶ୍ବକପ ଆୟୋଜନ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କରିବାକୁ ସ୍କୁଲ ସ୍ତରରେ କ୍ରୀଡ଼ାକୁ ଗୁରୁତ୍ବ ଦିଆଯାଇଛି । ରୂପାନ୍ତରିତ ସ୍କୁଲରେ କ୍ରୀଡାକୁ ଫୋକସରେ ରଖାଯାଇଛି । ହକିକୁ ଲୋକପ୍ରିୟ କରିବାକୁ ସରକାରୀ ବିଦ୍ୟାଳୟରେ ମୋ ସ୍କୁଲ ହକି କ୍ଲବ କାର୍ଯ୍ୟ କରୁଛି । ସ୍କୁଲ ସ୍ତରରୁ ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ଦକ୍ଷ କ୍ରୀଡ଼ାବିତ କରିବାକୁ ଏହି କ୍ଲବ ପ୍ରମୁଖ ଭୂମିକା ନିଭାଉଛି । ରାଜ୍ୟ ସରକାରଙ୍କ ହକି ରୂପାନ୍ତରିକରଣ ପ୍ରଭାବରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଆଗକୁ ଆସୁଛନ୍ତି ।