SCBରେ ଅଭାବନୀୟ ଦୃଶ୍ୟ, ରୋଗୀଙ୍କୁ କାଖେଇ ବୋହିଲେ ସମ୍ପର୍କୀୟ

କଟକ: ଏସସିଵି ମେଡିକାଲରେ ଅଭାବନୀୟ ଦୃଶ୍ୟ । ଗୋଟିଏପଟେ ଷ୍ଟ୍ରେଚରରେ ସାଲାଇନ, ଅକ୍ସିଜେନ ସିଲିଣ୍ଡର ଆଉ ଔଷଧ ବୁହାଯାଉଥିବା ବେଳେ ଅନ୍ୟପଟେ ରୋଗୀଙ୍କୁ ସମ୍ପର୍କୀୟମାନେ କୋଳେଇ, କାଖେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଉଛନ୍ତି । ଏସସିବି କାଜୁଆଲଟିରୁ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଆଉ ଝିଅକୁ ବାପା ବୋହି ନେଉଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟ ବଡ଼ ମେଡିକାଲ ପରିସରରେ ଲୋକଙ୍କୁ ଆନ୍ଦୋଳିତ କରିଛି ।

ଏସସିଵିରେ ପର୍ଯ୍ୟାପ୍ତ ପରିମାଣର ଷ୍ଟେଚର ଓ ହୁଇଲ ଚେୟାର ଥାଇ ମଧ୍ୟ ରୋଗୀମାନେ ଏହାର ସୁବିଧା ପାଉ ନଥିବା ଏହି ଘଟଣା ସ୍ପଷ୍ଟ କରିଛି । ଏସସିବିରେ ଦୁଇଟି କାଜୁଆଲଟି ରହିଥିବାବେଳେ ସେଥିରେ 50ରୁ ଅଧିକ ଷ୍ଟ୍ରେଚର ଓ ହୁଇଲ ଚେୟାର ରହିଛି ହେଲେ ଏହା ହଜି ଯାଉଥିବା ଆଳରେ କାଜୁଆଲଟିରେ ଏହାର ଦାୟିତ୍ୱରେ ଥିବା କର୍ମଚାରୀ ଷ୍ଟ୍ରେଚର ଓ ହୁଇଲ ଚେୟାର ତଳ ପକାଇ ରଖୁଛନ୍ତି ।

ଏପରିକି ଜଣେ ରୋଗୀ ଗୁରୁତର ହେଲେ ଡାକ୍ତର ବିଭିନ୍ନ ପରୀକ୍ଷା ପାଇ ପଠାଉଥିବାବେଳେ ରୋଗୀଙ୍କୁ ମିଳୁନି ଷ୍ଟ୍ରେଚର । ଫଳରେ ରୋଗୀଙ୍କୁ ସମ୍ପର୍କୀୟ ବୋହି ବୋହି ନେଉଛନ୍ତି । ତେବେ ଏପରି କୌଣସି ଖବର ବିଭାଗ ପାଖରେ ନାହିଁ । କିପରି ଭାବେ ରୋଗୀ ସହଜରେ ଷ୍ଟ୍ରେଚର ଓ ହୁଇଲ ଚେୟାର ପାଇ ପାରିବେ ସେ ନେଇ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସସିବି ଜରୁରୀକାଳିନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା  ।