ବଡ଼ ମେଡିକାଲର ବଡ଼ ଭୁଲ୍, ଭୋଗୁଛି ୧୩ ବର୍ଷର ଆରତୀ

ଟାଙ୍ଗୀ: ଧାଁ ଦଉଡ଼ ବୟସରେ ଦୁନିଆ ତା ପାଇଁ ହୋଇଯାଇଛି ନିରବ । ସବୁକିଛି ଜାଣିବା ବୁଝିବା ବୟସରେ ସେ କିଛି ଶୁଣିପାରୁନି । କାରଣ ତା କାନକୁ ଆଉ ଶୁଭୁନି । କଟକ ବଡ଼ ମେଡିକାଲର ଡାକ୍ତରଙ୍କ ଗୋଟିଏ ଭୁଲ୍ ଆରତୀର ହସଖୁସି ଭରା ଜୀବନରେ ଭରି ଦେଇଛି ଦୁଃଖର କଳା ବାଦଲ । ଶ୍ରବଣ ଶକ୍ତି ହରାଇବା ପରେ କାଲ୍ ପାଲଟିଯାଇଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତ ଜଗନ୍ନାଥ ସାହିର ଆରତୀ ।ଭାଗିରଥୀ ସାମନ୍ତରାୟଙ୍କ ୧୩ ବର୍ଷର ଝିଅ ଆରତୀ ଅଷ୍ଟମ ଶ୍ରେଣୀରେ ପଢ଼େ । ବାମ କାନକୁ ଭଲ ଭାବରେ ଶୁଣାନଯିବାରୁ କଟକ ବଡ଼ ମେଡିକାଲକୁ ଯାଇଥିଲେ । ହେଲେ ଡାକ୍ତର ବାମ ବଦଳରେ ଡାହାଣ କାନର ଅସ୍ତ୍ରୋପଚାର କରିଥିଲେ । ଯାହାପରେ ଶ୍ରବଣ ଶକ୍ତି ହରାଇଛି ଆରତୀ ।ରାଷ୍ଟ୍ରୀୟ ବାଲ ବିକାଶ ଯୋଯନାରେ ଆରତୀ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଗତ ଜାନୁଆରୀ ୩୧ ତାରିଖରେ ଭର୍ତ୍ତି ହୋଇଥିଲେ । ଫେବ୍ରୁଆରୀ ୧୧ ତାରିଖରେ ଡାକ୍ତର କାନର ଅପରେସନ୍ କରିଥିଲେ । ୧୮ ତାରିଖରେ ଡାକ୍ତର ଡିସଚାର୍ଜ କରିଥିଲେ । ଯେଉଁ ଡିସଚାର୍ଜ ପେପରରେ ଆରତୀଙ୍କ ଅବସ୍ଥା ସ୍ଥିର ଥିବା ମଧ୍ୟ ଉଲ୍ଲେଖ ହୋଇଛି । ଅପରେସନ୍ ପରେ ଆରତୀଙ୍କ ବାପାମାଆ ଡାକ୍ତରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ଓଲଟା ଧମକ ଚମକ ଦେଇ ମେଡିକାଲରୁ ବିଦା କରି ଦେଇଥିବା ତାଙ୍କ ବାପାମାଆ ଅଭିଯୋଗ କରିଛନ୍ତି ।ତେବେ, ବଡ଼ ମେଡିକାଲରେ ଡାକ୍ତର ଏତେ ବଡ଼ ଭୁଲ୍ କେମିତି କଲେ ? ଯଦି ବା ଭୁଲରେ ଅପରେସନ୍ କରିଦେଲେ ପରେ କାହିଁକି ପ୍ରତିକାର ପାଇଁ ପଦକ୍ଷେପ ନେଲେନି ? ଏବେ ଅଭାଗିନୀ ମେଧାବୀ ଆରତୀ ନ୍ୟାୟକୁ ଅପେକ୍ଷା କରିଛି ।

Leave a Reply