ଇଡବ୍ଲ୍ୟୁଏସ୍ କୋଟା ମାମଲାରେ ରାଏ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷାରେ ଆର୍ଥିକ ଭାବେ ପଛୁଆ ବର୍ଗ ଇଡଲ୍ବୁଏସ୍ ସଂରକ୍ଷଣର ସାମ୍ବିଧାନିକ ବୈଧତା ଏବଂ ଆର୍ଥିକ ସ୍ଥିତି ଆଧାରରେ ରୋଜଗାର ପ୍ରସଙ୍ଗ ସହ ସମ୍ବନ୍ଧିତ ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ଇଡବ୍ଲୁଏସ୍ କୋଟାରେ ୧୦  ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକତା ଉପରେ ଶୁଣାଣି କରୁଥିଲେ । ଉଭୟ ପକ୍ଷର ଦଲିଲ ଶୁଣିବା ପରେ ରାଏକୁ ସଂରକ୍ଷିତ ରଖିଛନ୍ତି ।

ଜାନୁଆରୀ ୨୦୧୯ରେ ୧୦୩ତମ ସମ୍ବିଧାନ ସଂଶୋଧନ ଆଇନ ଅନୁଯାୟୀ ଇଡବ୍ଲ୍ୟୁଏସ କୋଟା ଲାଗୁ କରାଯାଇଥିଲା । ଆଇନ ଲାଗୁ ହେବାର କିଛି ଦିନ ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ପାଞ୍ଚ ଜଜ ବିଶିଷ୍ଠ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଆବେଦନରେ କୁହାଯାଇଥିଲା ଯେ ଏସସି, ଏସଟି ଏବଂ ଓବିସିରେ ମଧ୍ୟ ଗରିବ ଲୋକ ଅଛନ୍ତି ତେବେ ଏହି ସଂରକ୍ଷଣ କେବଳ ସାଧାରଣ ବର୍ଗ ଲୋକଙ୍କୁ କଣ ପାଇଁ ଦିଆଯାଉଛି । ଏହାଦ୍ୱାରା ୫୦ ପ୍ରତିଶତ ସଂରକ୍ଷଣ ନିୟମର ଉଲ୍ଲଂଘନ ହେଉଛି ।

ପ୍ରଥମରୁ ହିଁ ଓବିସିଙ୍କୁ ୨୭ ପ୍ରତିଶତ, ଏସସିଙ୍କୁ ୧୫ ଏବଂ ଏସଟିଙ୍କ ପାଇଁ ୭.୫ ପ୍ରତିଶତ କୋଟା ନିର୍ଦ୍ଧାରିତ କରାଯାଇଛି । ଏହିଭଳି ୧୦ ପ୍ରତିଶତର ଇଡବ୍ଲ୍ୟୁଏସ କୋଟା ୫୦ ପ୍ରତିଶତ ନିୟମକୁ ଭଙ୍ଗ କରୁଛି । ଗତ ଶୁଣାଣି ସମୟରେ ସରକାର ସୁପ୍ରିମକୋର୍ଟରେ କହିଥିଲେ ଯେ, ଇଡବ୍ଲ୍ୟୁଏସ୍ କୋଟା ଉପରେ ସାଧାରଣ ବର୍ଗର ହିଁ ଅଧିକାର ରହିଛି, କାରଣ ଏସସି-ଏସଟି ଲୋକଙ୍କୁ ପ୍ରଥମରୁ ହିଁ ସଂରକ୍ଷଣର ଅନେକ ଲାଭ ମିଳୁଛି ।

ପ୍ରଧାନ ବିଚାରପତି ୟୁୟୁ ଲଳିତ, ଜଷ୍ଟିସ ଦିନେଶ ମାହେଶ୍ୱରୀ, ଜଷ୍ଟିସ ଏସ ରବୀନ୍ଦ୍ର ଭଟ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ଜେବି ପାରଦୀୱାଲାଙ୍କ ଖଣ୍ଡପୀଠ ସମ୍ମୁଖରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଥିଲେ ଯେ, ପଛୁଆ ଜାତି, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଲୋକମାନେ ପୂର୍ବରୁ ହିଁ ସଂରକ୍ଷଣର ଲାଭ ନେଉଛନ୍ତି । ସାଧାରଣ ବର୍ଗର ଗରିବ ଲୋକଙ୍କୁ ଏହି ଆଇନ ଆଧାରରେ ଲାଭ ମିଳିବ ଯାହାକି କ୍ରାନ୍ତିକାରୀ ପ୍ରମାଣିତ ହେବ ।

ଆଗକୁ ବେଣୁଗୋପାଳ କହିଥିଲେ ଏହି ଆଇନ ଅନୁଚ୍ଛେଦ ୧୫(୬) ଏବଂ ୧୬(୬) ଅନୁଯାୟୀ ହିଁ ଦିଆଯାଉଛି । ଏହା ପଛୁଆ ଏବଂ ବଞ୍ଚିତଙ୍କୁ ଆଡମିଶନ ଏବଂ ଚାକିରିରେ ସଂରକ୍ଷଣ ଦେଇଥାଏ ଏବଂ ୫୦ ପ୍ରତିଶତ ସୀମାକୁ ଉଲ୍ଲଂଘନ କରୁନାଇଁ । ସମ୍ବିଧାନରେ ଏସସି ଏବଂ ଏସଟିଙ୍କ ପାଇଁ ସଂରକ୍ଷଣ ଅଲଗା କରାଯାଇଛି । ଏହାରି ମୁତାବିକ ସଂସଦରେ, ପଞ୍ଚାୟତରେ ଏବଂ ସ୍ଥାନୀୟ ବିଭାଗରେ ଏବଂ ପ୍ରମୋସନରେ ମଧ୍ୟ ସେମାନଙ୍କୁ ସଂରକ୍ଷଣ ମିଳିଥାଏ । ଯଦି ସେମାନଙ୍କ ପଛୁଆ ସ୍ଥିତିକୁ ଧ୍ୟାନରେ ରଖି ସବୁ ପ୍ରକାରର ଲାଭ ସେମାନଙ୍କୁ ଦିଆଯାଉଛି ତେବେ ଇଡବ୍ଲ୍ୟୁଏସ କୋଟା ପାଇବା ପାଇଁ ସେମାନେ ଏହି ସମସ୍ତ ଫାଇଦା ଛାଡିବା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ।