ଚୌଦ୍ବାରରେ ଖୋଲିବ ଓ୍ବେଲସ୍ପନ ଲୁଗା କାରଖାନା, ଶନିବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କଟକ: ଶିଳ୍ପ ସମୃଦ୍ଧ ହେବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ନଗରୀ ଚୌଦ୍ୱାର । ଖୋଲିବାକୁ ଯାଉଛି ଏସିଆ ମହାଦେଶର ଅନ୍ୟତମ ବୃହତ ୱେଲସ୍ପନ ଲୁଗା କାରଖାନା । ଓଟିଏମର ୫୨୨ ଏକର ପରିମିତ ଜମି ଉପରେ ୩ ହଜାର ୫୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇ ଏହାକୁ ନୂତନ ରୂପ ଦିଆଯିବ । ଆସନ୍ତା ଶନିବାର ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୃଷ୍ଟି ହେବ ବ୍ଯାପକ ନିଯୁକ୍ତି ସୁଯୋଗ । ରାଜ୍ଯ ସରକାରଙ୍କୁ ଧନ୍ଯବାଦ ଜଣାଇଲେ ଚୌଦ୍ବାରବାସୀ ।

ଓଡିଶା ଦ୍ରୁତ ଶିଳ୍ପାୟନ ଜାତକରେ ଯୋଡି ହେବ ଚୌଦ୍ୱାର । ପୁଣି ଶ୍ରମିକ କର୍ମଚାରୀଙ୍କ କୋଳାହଳରେ ମୁଖରିତ ହେବ ଶିଳ୍ପାଞ୍ଚଳ । ରାଜ୍ୟର ୨୦ ହଜାରରୁ ଊର୍ଦ୍ଧ୍ବ ପୁରୁଷ, ମହିଳା, ଯୁବକ ଯୁବତୀ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଏଥିରେ ପାଇେବ ନିଯୁକ୍ତି ।

ନୂତନ ଶିଳ୍ପାଚଳ ପ୍ରତିଷ୍ଠା ଖବରକୁ ନେଇ ଉତ୍ସବ ମୁଖର ଚୌଦ୍ୱାର ଅଞ୍ଚଳ । ଦୀର୍ଘ ୨୨ ବର୍ଷର ଅପେକ୍ଷା ପରେ ଅଞ୍ଚଳକୁ ଫେରିଛି ବୃହତ ଶିଳ୍ପ । ଦୀର୍ଘ ୧୯ ବର୍ଷ ଧରି ଶିଳ୍ପ ବଞ୍ଚାଇବାକୁ ନେଇ ଚାଲିଥିବା ସତ୍ୟାଗ୍ରହ ମଧ୍ୟ ପ୍ରତ୍ୟାହୃତ ହୋଇଛି । ଓଟିଏମ ବନ୍ଦ ହୋଇଯିବା ପରେ ଯେଉଁ ମାନସିକ ଓ ଆର୍ଥିକ ସମସ୍ୟା ଭିତରେ ଦିନ କାଟୁଥିଲା ତାହା ଆଜି ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ ପାଇଁ ସମାଧାନ ହୋଇଛି । ଏଥିପାଇଁ କର୍ମଚାରୀ ଓ ଶ୍ରମିକ ନେତା ସଭିଏଁ ଉତ୍ସାହିତ ।