ସାରୁଅ ଜମି ଜାଲିଆତି ମାମଲା: ଜଗି ଓ ଜୟ ପଣ୍ଡାଙ୍କ ଆବେଦନ ଉପରେ ହୋଇପାରିଲାନି ଶୁଣାଣି

1 min read

ଭୁବନେଶ୍ୱର: ବଢିଲା ପଣ୍ଡା ଦମ୍ପତ୍ତିଙ୍କ ଅଡୁଆ  । ଜଗି ଓ ଜୟ ପଣ୍ଡାଙ୍କ ସାରୁଅ ଜମି ଜାଲିଆତି ମାମଲା ରଦ୍ଦ କରିବାର ଆବେଦନର ହୋଇପାରିନି ଶୁଣାଣି  । ହାଇକୋର୍ଟରେ ଆଜି ଶୁଣାଣି ହୋଇପାରି ନଥିବାବେଳେ ଏହା ଆସନ୍ତା କାଲିକୁ ଘୁଞ୍ଚିଥିବା ସୂଚନା  । ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରମୋଟର ବୈଜୟନ୍ତ ପଣ୍ଡା ଓ ଜଗିମଙ୍ଗତ ପଣ୍ଡାଙ୍କ ମାମଲାରେ ଶୁଣାଣି କରିଥାନ୍ତେ ହାଇକୋର୍ଟ ।  ତାଙ୍କ ବିରୋଧରେ ରୁଜୁ ଏତଲାକୁ ରଦ୍ଦ କରିବାକୁ ଉଭୟ ବୈଜୟନ୍ତ ଓ ଜଗି ଆବେଦନ କରିଛନ୍ତି । ଏନେଇ ପ୍ରାରମ୍ଭିକ ଶୁଣାଣି କରି ଗତ ୫ତାରିଖରେ ହାଇକୋର୍ଟ ଉଭୟଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ ନକରିବାକୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ଆଜି ସୁରକ୍ଷା ଅବଧି ସରିଥିବାବେଳେ, ହାଇକୋର୍ଟ ଶୁଣାଣିକୁ ଆସନ୍ତା କାଲିକୁ ଘୁଞ୍ଚାଇ ଦେଇଛନ୍ତି  ।

ଏହି ମାମଲାରେ ଗତ ୫ ତାରିଖରେ ଖୋର୍ଦ୍ଧା ସାରୁଅରେ ଦଳିତଙ୍କ ଜମି ହଡ଼ପ ହୋଇଛି ବୋଲି ତଦନ୍ତ କରି ପ୍ରମାଣ ପାଇବା ପରେ ପ୍ରେସମିଟ କରି ପଣ୍ଡା ଦମ୍ପତ୍ତିଙ୍କ ଗୁମର ଖୋଲିଥିଲା  କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା  । ସେହିଦନ ହିଁ ଗିରଫ ହେବା ଭୟରେ ଆଗୁଆ ଜଗି ଓ ଜୟ ପଣ୍ଡା ହାଇକୋର୍ଟରୁ ଆଣ୍ଟିସିପେଟୋରି ବେଲ ଆଣିବାରେ ସକ୍ଷମ ହୋଇଥିଲେ  । ହାଇକୋର୍ଟ ୧୨ ତାରିଖ ପର୍ଯ୍ୟନ୍ତ ଗିରଫ ନକରିବାକୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ  । ନିଜ ଦଳିତ ଡ୍ରାଇଭରଙ୍କୁ ମୋହରା କରି ଶାଗମାଛ ଦରରେ ଜମି ହାତେଇଛନ୍ତି ବୋଲି ଇଓଡବଲ୍ୟୁ ସୂଚନା ଦେଇଥିଲା  ।

୨୦୧୦ରୁ ୨୦୧୩ ମଧ୍ୟରେ ରବି ୨୦ ଲକ୍ଷ ଟଙ୍କାରେ ଅନ୍ୟ ଦଲିତଙ୍କଠାରୁ ୭. ୨୯ ଏକର ଜମି କିଣିଥିଲେ  । ୨୦୧୬  ରୁ ୨୦୧୯ ମଧ୍ୟରେ ସେ ଏହାକୁ ଜଗି ଓ ଜୟଙ୍କୁ ୬୫ ଲକ୍ଷ ଟଙ୍କାରେ ବିକିଥିଲେ । କିନ୍ତୁ ଏ ବାବଦରେ ଦଳିତ ଡ୍ରାଇଭର ରବି ସେଠୀଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଆସିନି  । ଏପରି ଭାବେ ଜମି ଜାଲିଆତି ଓ ହଡପ ଜରିଆରେ ବେଆଇନ କାରବାର ହୋଇଛି ବୋଲି କହିଥିଲା ଇଓଡବଲ୍ୟୁ । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ଇଓଡବଲ୍ୟୁ । କିନ୍ତୁ ବେଆଇନ ଅର୍ଥ କାରବାରର ତଦନ୍ତ ପୋଲିସ ପରିସରଭୁକ୍ତ ନୁହେଁ ବୋଲି କହି ଅଧିକ ତଦନ୍ତ ଲାଗି ଆୟକର ବିଭାଗକୁ ତଦନ୍ତ ଦାଇତ୍ତ୍ୱ ହସ୍ତାନ୍ତର କରିବାକୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ ଇଓଡବଲ୍ୟୁ । ଏହି ମାମଲାରେ ନଭେମ୍ବର ପହିଲାରେ ‘ଓଡ଼ିଶା ଇନ୍‌ଫ୍ରାଟେକ୍‌’ର ନିର୍ଦ୍ଦେଶକ ତଥା ଓଟିଭର ଚିଫ୍‌ଫାଇନାନ୍‌ସିଆଲ ଅଫିସର ତଥା ସୂତ୍ରଧର ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ତାପର ଦିନ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା  ।

ମନୋରଞ୍ଜନଙ୍କ ବିରୋଧରେ ଆଇପିସି ଧାରାର ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦-ଖ ଲାଗିଛି  । ଏସସି/ଏସଟି ଆକ୍ଟର ୩ (୧) (ଜି) (କ୍ୟୁ) ଧାରାରେ ମାମଲା ରୁଜୁ ହୋଇଥିଲା । ଏହାପରେ ମନୋରଂଜନ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ  । ଏହାକୁ ନେଇ ତାଙ୍କ ଶାଳକ ହରିହର ମିଶ୍ର ଉଭୟ ଜଗି ଓ ଜୟଙ୍କ ଉପରେ ଖୁବ ବର୍ଷିଥିଲେ  । କହିଥିଲେ, ଜଣେ ସଚ୍ଚୋଟ କର୍ମଚାରୀଙ୍କୁ ଉଭୟ ବକ୍‌ରା ବନେଇ ବିଶାଳ ସାମ୍ରାଜ୍ୟ ଗଢିଛନ୍ତି  । ୨୦୦୮ରେ ୧୨ ବର୍ଷ ତଳର ଏହି କେଳେଙ୍କାରୀରେ ପ୍ରଥମେ ଓଡ଼ିଶା ଇନଫ୍ରାଟେକ ପ୍ରା. ଲିମିଟେଡ ଗଢାଯାଇଥିଲା  । କମ୍ପାନୀରେ ପ୍ରଥମେ ଜଗି ମଙ୍ଗତ ପଣ୍ଡା ଓ ବିଭୁ ପ୍ରସାଦ ରଥଙ୍କୁ ନେଇ ସାରୁଅରେ ଜମି ହଡ଼ପ ଆରମ୍ଭ ହୋଇଥିଲା  । ୨୦୧୦ରେ  ଜଗି ଏଥିରୁ ବାହାରି ଗଲା ପରେ ମନୋରଂଜନ ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶକ କରାଯାଇଥିଲା  । କିନ୍ତୁ ମନୋରଂଜନ ନିର୍ଦ୍ଦେଶକ ହେବା ପରେ ତାଙ୍କ ଅମଳରେ ମାତ୍ର ଦୁଇଟି ଜମି କିଣାଯାଇଥିଲା ଯାହା ସାଧାରଣ ବର୍ଗର ବୋଲି ଶାଳକ କହିଥିଲେ  । ତେଣୁ ସେ ଏହି ମାମଲାରେ ନିର୍ଦ୍ଦୋଷ ବୋଲି କହିବା ସହ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ  । ତେବେ ଗତକାଲି ମନୋରଂଜନଙ୍କୁ ବେଲ ମିଳିଛି  ।

Leave a Reply