ଫ୍ରାଇଡେ ରିଲିଜ୍, ଆଜି ବଡ଼ ପରଦାକୁ ଆସିବ ଅକ୍ଷୟ କୁମାର ଅଭିନୀତ ସମ୍ରାଟ୍ ପୃଥ୍ବୀରାଜ୍

ମୁମ୍ବାଇ: ଆଜି ବଡ଼ ପରଦାରେ ରିଲିଜ ହେବ ଅକ୍ଷୟ କୁମାର ଅଭିନିତ ଫିଲ୍ମ ସମ୍ରାଟ୍ ପୃଥ୍ବୀରାଜ୍ । ଚୌହ୍ବାନ ବଂଶର ରାଜା ପୃଥ୍ୱୀରାଜ ଚୌହାନଙ୍କ ଉପରେ ଆଧାରିତ କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି । ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ସଞ୍ଜୟ ଦତ୍ତ, ସୋନୁ ସୁଦ୍, ଆଶୁତୋଷ ରାଣା ମଧ୍ୟ ଅଭିନୟ କରିଛନ୍ତି । ଏହି ଐତିହାସିକ ଡ୍ରାମା ଫିଲ୍ମଟି ୟଶ ରାଜ ବ୍ୟାନର ନିର୍ମାଣ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦ୍ରଶେଖର ଦିଓ୍ବେଦୀ । ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ସେପଟେ ଅନେକ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ କମବ୍ୟାକ୍ କରୁଛନ୍ତି ତାମିଲ ସୁପରଷ୍ଟାର କମଲ ହାସନ  । ତାମିଲ ଫିଲ୍ମ ବିକ୍ରମ ଡବିଂ ହୋଇ ହିନ୍ଦୀରେ ମଧ୍ୟ ରିଲିଜ ହେବ । ଆକ୍ସନ ଏବଂ ଥ୍ରୀଲର ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକେଶ କଙ୍ଗାରାଜ୍ । ଫିଲ୍ମରେ ବିଜୟ ସେତୁପତିଙ୍କ ଚମତ୍କାର ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ଓଟିଟିରେ ମଧ୍ୟ ଦମଦାର ସିରିଜ ଦେଖିବାକୁ ପାଇବେ ଦର୍ଶକ । ବହୁ ଚର୍ଚ୍ଚିତ ସିରିଜ୍ ଆଶ୍ରମର ତୃତୀୟ ଅଧ୍ୟାୟ ଆଜି ରିଲିଜ ହୋଇଛି । ସିରିଜରେ ମୁଖ୍ୟ ଭୂମିକାରେ ଅଛନ୍ତି ବବି ଦେଓଲ । ଏହି ସିରିଜ୍ ଅନେକ ସମୟରେ ବିବାଦ ଘେରକୁ ମଧ୍ୟ ଆସିଥିଲା । ପୂର୍ବରୁ ଦୁଇଟି ଯାକ ସିରିଜକୁ ଦର୍ଶକ ଅନେକ ପସନ୍ଦ କରିଥିବା ବେଳେ ତୃତୀୟ ଅଧ୍ୟାୟକୁ ମଧ୍ୟ ଲୋକେ ପସନ୍ଦ କରିବେ ବୋଲି ଆଶା କରିଛନ୍ତି  ନିର୍ଦ୍ଦେଶକ ପ୍ରକାଶ ଝା ।