ଋଣ କରିବାକୁ ବାଧ୍ୟ କରୁଥିଲେ ବରିଷ୍ଠ, ଚାକିରି ଛାଡିଦେଲେ ୩୩ ବର୍ଷର କର୍ମଚାରୀ

1 min read

ଭୁବନେଶ୍ବର: ୧୯୯୦ ମସିହାରୁ ସମ୍ବାଦରେ କାମ କରୁଥିଲେ ଭୈରବ ଚନ୍ଦ୍ର ବ୍ରହ୍ମା ।  ଆଉ ଏଇ ଦୁଇ ତିନି ମାସ ତଳେ ସେ ଚାକିରି ଛାଡ଼ିଛନ୍ତି । ଚାକିରି ଛାଡିବା ପଛର କାରଣ ହେଉଛି, ତାଙ୍କ ନାଁରେ ପୂର୍ବରୁ ତିନି ଥର ଋଣ କରାଯାଇଥିଲା । ଚତୁର୍ଥ ଥର ସେ ଋଣ କରିବାକୁ ସଫା ସଫା ମନା କରିବା ପରେ ଚାକିରି ଛାଡିଥିଲେ । ଖୋଦ ଭୈରବ ଚନ୍ଦ୍ର ବ୍ରହ୍ମା ଏକଥା ଇଓଡବ୍ଲୁକୁ କହିଛନ୍ତି ।

ସେ ସିଧା ସଳଖ ସୌମ୍ୟ ରଂଜନ ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ପୂର୍ବତନ ଡିଜିଏମ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଏହି ବ୍ୟାଙ୍କ ସ୍ମାମର ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ପତ୍ରକୁ ଟିକେ ଦେଖନ୍ତୁ । ଲୋନ ନମ୍ବର ୧ । ସେ ବ୍ରହ୍ମପୁରରେ ଥିବା ସମୟରେ ୨୦୦୧-୦୨ ମସିହାରେ ତାଙ୍କୁ ସିଓଓ କମଳାକାନ୍ତ ମହାପାତ୍ର, ଏଚଆର ମୁଖ୍ୟ ବୈଜୟନ୍ତୀ କର ଓ ପୂର୍ବତନ ଡିଜିଏମ ବିନୋଦ ପଣ୍ଡା ଫୋନ କରି ବ୍ୟାଙ୍କରେ ଏକ ଲୋନ ଆକାଉଣ୍ଟ ଖୋଲି ଋଣ କରିବାକୁ କହିଥିଲେ । ଏହି ଅର୍ଥ ସେ ସୌମ୍ୟ ବାବୁଙ୍କୁ ପ୍ରଦାନ କରିବାକୁ ଏହି ଅଧିକାରୀମାନେ ତାଙ୍କୁ କହିଥିଲେ ।

ସେମାନେ ତାଙ୍କୁ ଜୟଦେବ ବିହାର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ନେଇ ଯାଇଥିଲେ । ଚାକିରି ଚାଲିଯିବା ଭୟରେ ସେଠାରେ ସେ କିଛି ଲୋନ କାଗଜପତ୍ରରେ ଦସ୍ତଖତ କରିଥିଲେ । ସେହିଠାରେ ତାଙ୍କ ଠାରୁ ବ୍ଲାଙ୍କ ଚେକରେ ଦସ୍ତଖତ କରାଇ ନେଇଥିଲେ ସମ୍ବାଦର ଏହି ବରିଷ୍ଠ ଅଧିକାରୀମାନେ । ସେ ସମୟରେ ତାଙ୍କ ନାଁରେ ୩ ଲକ୍ଷ ଟଙ୍କାର ଋଣ ଉଠାଯାଇଥିବା ଭୈରବ ଇଓଡବ୍ଲୁରେ ଲିକ୍ଷିତ ଅଭିଯୋଗ କରିଛନ୍ତି ।

ଲୋନ ନମ୍ବର ୨ । ଦ୍ବିତୀୟ ଥର ପାଇଁ ତାଙ୍କ ନାଁରେ ୨୦୦୩-୦୪ ରେ ଋଣ କରାଯାଇଥିଲା । ପୁଣି ଥରେ କମଳାକାନ୍ତ ମହାପାତ୍ର, ବୈଜୟନ୍ତୀ କର ଓ ବିନୋଦ ପଣ୍ଡା ତାଙ୍କୁ ଫୋନ କରି ଆଉ ଥରେ ଋଣ କରି ସୌମ୍ୟ ପଟ୍ଟନାୟକଙ୍କୁ ଦେବାକୁ କହିଥିଲେ । ଦ୍ବିତୀୟ ଥର ତାଙ୍କୁ କଟକ ଅରୁଣୋଦୟ ମାର୍କେଟ ସ୍ଥିତ ଗ୍ରାମ୍ୟବ୍ୟାଙ୍କକୁ ନେଇଥିଲେ । ସମାନ ଢଙ୍ଗରେ ତାଙ୍କ ଠାରୁ ଦ୍ବିତୀୟ ଥର ପାଇଁ ଲୋନ କାଗଜପତ୍ରରେ ଦସ୍ତଖତ କରାଯାଇଥିଲା ଆଉ ବ୍ଲାଙ୍କ ଚେକରେ ସାଇନ କରାଇ ନେଇଥିଲେ ଏହି ବରିଷ୍ଠ ଅଧିକାରୀମାନେ । ସେ ସମୟରେ ତାଙ୍କ ନାଁରେ ୩ ଲକ୍ଷ ୮୦ ହଜାର ଟଙ୍କାର ଋଣ କରାଯାଇଥିଲା । କିନ୍ତୁ ସେଥିରୁ ସେ ଟଙ୍କାଟିଏ ବି ପାଇନଥିବା ଅଭିଯୋଗ କରିଛନ୍ତି ।

ଲୋନ ନମ୍ବର ୩ । ତୃତୀୟ ଥର ପାଇଁ ଭୈରବ ବ୍ରହ୍ମାଙ୍କ ନାଁରେ ୨୦୦୪-୦୫ରେ ୫ଲକ୍ଷ ଟଙ୍କାର ଋଣ କରାଯାଇଥିଲା । ପୂର୍ବଭଳି ଏହି ତିନି ଅଧିକାରୀ ଭୈରବଙ୍କୁ ଚାକିରି ଭୟ ଦେଖାଇ ସମ୍ବଲପୁର ଏସବିଆଇର ଆଗ୍ରିକଲଚର ଡେଭଲପମେଣ୍ଟ ବ୍ୟାଙ୍କକୁ ନେଇଥିଲେ । ସେଠାରେ ତାଙ୍କ ଠାରୁ ସମାନ ଢଙ୍ଗରେ ସବୁ କାଗଜପତ୍ର ଓ ବ୍ଲାଙ୍କ ଚେକରେ ଦସ୍ତଖତ କରାଇ ନେଇଥିଲେ । ଋଣ ପାଇଁ ତାଙ୍କୁ ସମ୍ବାଦରେ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ସେ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି ।

ଚତୁର୍ଥ ଥର ଋଣ ପାଇଁ ଚାପ ପକାଯିବାରୁ ସେ ରୋକଠୋକ ମନା କରିଦେଇଥିଲେ । ଯାହାଦ୍ବାରା ଆକ୍ରୋଷମୂକଳ ଭାବେ ତାଙ୍କୁ ସମ୍ବାଦର ଏହି ତିନି ବରିଷ୍ଠ ଅଧିକାରୀ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଆଉ ଶେଷରେ ସେ ଚାକିରି ଛାଡିଥିଲେ । ଇଓଡବ୍ଲୁରେ ତାଙ୍କ ଉପରେ ଋଣ ପାଇଁ ହୋଇଥିବା ନିର୍ଯ୍ୟାତନାର ବିସ୍ତୃତ ଚିଠା ଦେବା ସହ ସୌମ୍ୟ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହେଉଥିବା ଏହି ସ୍କାମରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭୈରବ ।