ସମଲେଶ୍ୱରୀ ମନ୍ଦିରରେ ଲାଗିବ ବିକାଶର ରଙ୍ଗ, ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’ ପ୍ରସ୍ତୁତ

1 min read

ସମ୍ବଲପୁର: ମା’ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’ ପ୍ରସ୍ତୁତ । ୫-ଟି ଅଧୀନରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ସମ୍ବଲପୁରର ମା’ ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏ ସଂପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ଷୋଡଶ ଶତାଦ୍ଦୀରେ ନିର୍ମିତ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ୨୦୨୧-୨୨ ଆର୍ଥିକବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରି ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ ।

ଏହି ଯୋଜନାରେ ମା’ଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ । ମା’ଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମିରେ ପ୍ରତିଷ୍ଠିତ । ତେଣୁ ଏଠାରୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଧାଡ଼ି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମ ଗୃହ ନିର୍ମାଣ କରାଯିବ । ମନ୍ଦିରର ଚାରି ଦିଗରେ ୪ଟି ଐତିହ୍ୟ ଦ୍ୱାର ନିର୍ମାଣ କରାଯିବ । ଭକ୍ତମାନେ ପୂର୍ବ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ । ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ଯ୍ୟାଳୟ, ଜନସାଧାରଣଙ୍କ ପାଇଁ ଜରୁରୀ ସୁବିଧାର ବିକାଶ କରାଯିବ। ମନ୍ଦିର ନିକଟରେ ଅବସ୍ଥିତ ଗୋପାଳଜୀ ମଠର ସଂରକ୍ଷଣ କରାଯିବ ଏବଂ ଏହାର ବିକାଶକୁ ମୂଳ ଯୋଜନା ସହ ସମନ୍ବିତ କରାଯିବ ।

ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ । ସମ୍ବଲପୁରର ଜଳବାୟୁକୁ ଦୃଷ୍ଟିରେ ରଖି ପରିକ୍ରମା ପଥରେ ଛାୟାପ୍ରଦ ବୃକ୍ଷ ରୋପଣ କରାଯିବ । ଯାତ୍ରୀଙ୍କ ପାଇଁ ସେଠାରେ ପର୍ଯ୍ୟାପ୍ତ ସୁବିଧାର ବିକାଶ କରାଯିବ ଏବଂ ତାସହିତ ପାର୍କିଂ ଜାଗା, ସ୍ବତନ୍ତ୍ର Vending zone, ଶୌଚାଳୟ, ସୂଚନା କେନ୍ଦ୍ର, ଦାନକେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା ରଖାଯିବ । ସେବାୟତଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯିବ ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧା ରହିବ । ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ ଯାଇପାରିବେ, ସେଥିପାଇଁ କରାଯିବ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତା । ବର୍ତ୍ତମାନର ରିଙ୍ଗ୍‌ ରୋଡ୍‌କୁ ଚଉଡ଼ା କରାଯିବ ଏବଂ ସେଥିରେ ସ୍ବତନ୍ତ୍ର ଭାବରେ ନଦୀ କୂଳେରେ ଚଲାପଥ ଓ ଅବସର ସୁବିଧା ରହିବ । ନଦୀକୂଳର ଯୋଜନାବଦ୍ଧ ବିକାଶ କରାଯିବ ଏବଂ ଲୋକମାନେ ଯେପରି ସୁବିଧାରେ ସେମାନଙ୍କ ପରମ୍ପରା ଓ ରୀତିନୀତି ପାଳନ କରିପାରିବେ, ସେଥିପାଇଁ କରାଯିବ ପ୍ଲାଟଫର୍ମର ବ୍ୟବସ୍ଥା ।

ଏହି ପ୍ରକଳ୍ପ ଅଧୀନରେ ୨୨ ଏକର ଜମିରେ ହ୍ରଦକୂଳର ବିକାଶ କରାଯିବ। ଏଥିରେ wetlandର ବିକାଶ ସହିତ 5 MLD Sewerage Treatment Plant ନିର୍ମାଣ କରାଯିବ । Wetland ଅଞ୍ଚଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ। ଏହାସହିତ ସେଠାରେ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ Food Park, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଂଗମଞ୍ଚର ବ୍ୟବସ୍ଥା ରହିବ । ରେଳଷ୍ଟେସନରୁ ମନ୍ଦିରର ଉତ୍ତର ପାର୍ଶ୍ବକୁ ସଂଯୁକ୍ତ କରୁଥିବା ରାସ୍ତାକୁ ପ୍ରଶସ୍ତ କରାଯିବ । ଦୂର ହେବ ଟ୍ରାଫିକ ସମସ୍ୟା । ବର୍ତ୍ତମାନ ଥିବା ଶଶ୍ମାନକୁ ପୂର୍ବପଟକୁ ସ୍ଥାନାନ୍ତର କରାଯିବ ଏବଂ ଏଠାରେ ଆଧୁନିକ ସୁବିଧାର ବିକାଶ କରାଯିବ । ଶ୍ମଶାନ ପାଖରେ ଶେଷକୃତ୍ୟ, ଶ୍ରାଦ୍ଧମଣ୍ଡପ ଓ ବିଶ୍ରାମଗୃହର ବ୍ୟବସ୍ଥା କରାଯିବ । ଏଥିରେ ଘରୋଇ ଜମିରେ ଘର ସରକାରୀ ଜମିରେ ଥିବା ବସ୍ତି, ସରକାରୀ ଜମିରେ ଅନ୍ୟ ବାସଗୃହ, ସରକାରୀ ଜମିରେ ଦୋକାନ ଘର, ସରକାରୀ ଜମିରେ vendorଙ୍କ ପାଇଁ ସୁବିଧା ପାଇଁ ପ୍ୟାକେଜରେ ବିସ୍ତୃତ ବ୍ୟବସ୍ଥା ରଖାଯିବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave a Reply