ପାଣିକୋଇଲିରେ ଉଦଘାଟିତ ହୋଇଛି ’ସକାଳ’ ଖବରକାଗଜର ତୃତୀୟ ପ୍ରିଣ୍ଟିଂ ପ୍ରେସ୍

ଯାଜପୁର: ଯାଜପୁର ଜିଲ୍ଲାର ପାଣିକୋଇଲିଠାରେ ଆଜି ’ସକାଳ’ ଖବରକାଗଜର ତୃତୀୟ ପ୍ରିଣ୍ଟିଂ ପ୍ରେସ୍ ଉଦଘାଟିତ ହୋଇଛି । ସକାଳ ଓ ନନ୍ଦିଘୋଷ ଟିଭିର ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏହାକୁ ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ଜୟପୁର ଓ ସମ୍ବଲପୁର ଠାରେ ’ସକାଳ’ର ପ୍ରିଣ୍ଟିଂ ପ୍ରେସ୍ ସ୍ଥାପିତ ହୋଇସାରିଛି । ପାଠକଙ୍କ ନିକଟରେ ଶୀଘ୍ର ଓ ଅଧିକ ଆଞ୍ଚଳିକ ଖବର ପହଁଚାଇବା ପାଇଁ ’ସକାଳ’ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପାଣିକୋଇଲିଠାରେ ସ୍ଥାପିତ ପ୍ରିଣ୍ଟିଂ ପ୍ରେସରୁ ୫ଟି ଜିଲ୍ଲାକୁ ସକାଳ ବିତରଣ କରାଯିବ । ଏହି ଜିଲ୍ଲାଗୁଡିକ ହେଲା ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୁରଭଂଜ ଓ କେନ୍ଦୁଝର ।

ପ୍ରିଣ୍ଟିଂ ପ୍ରେସ୍ ଉଦଘାଟନ ଉତ୍ସବରେ ମାନସ ମଙ୍ଗରାଜଙ୍କ ସହ ’ସକାଳ’ର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକ, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାଶ, ବ୍ୟୁରୋ ମୁଖ୍ୟ ରଂଜିତ ମହାନ୍ତି, ସହକାରୀ ବାର୍ତ୍ତା ସମ୍ପାଦକ ମହେଶ୍ବର ସାହୁ, ନନ୍ଦିଘୋଷ ଟିଭି ସମ୍ପାଦକ ଶିଶିର ଭଟ୍ଟମିଶ୍ର ଓ ସିଓଓ ଜବର ସିଂ ପନୱାର ପ୍ରମୁଖ ଉପସ୍ଥିତ ଥିଲେ । ସକାଳ ଓ ନନ୍ଦିଘୋଷ ଟିଭିର ୫ଟି ଜିଲ୍ଲାର ଜିଲ୍ଲା ପ୍ରତିନିଧିମାନେ ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ । ସାଧାରଣ ଲୋକଙ୍କ କଥା କହି ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଜିଲ୍ଲା ପ୍ରତିନିଧିମାନଙ୍କୁ ମାନସ ମଙ୍ଗରାଜ ପରାମର୍ଶ ଦେଇଥିଲେ । ସକାଳ ଅତି କମ୍ ସମୟ ଭିତରେ ପାଠକୀୟ ଆଦୃତି ହାସଲ କରିଛି । ଆଗକୁ ଏହା କିଭଳି ରାଜ୍ୟର ସର୍ବାଧିକ ପ୍ରସାରିତ ଖବରକାଗଜ ହେବ ସେଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ମାନସ ମଙ୍ଗରାଜ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ସଫଳତା ପାଇଁ ନିରପେକ୍ଷତା ମୁଖ୍ୟ ଆୟୁଧ ବୋଲି ମଧ୍ୟ ସେ କହିଛନ୍ତି । ସକାଳ ଓ ନନ୍ଦିଘୋଷ ଟିଭି ଲୋକଙ୍କ ସ୍ବର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଏହି ଉତ୍ସବରେ ସକାଳର ଯାଜପୁର ଜିଲ୍ଲା ପ୍ରତିନିଧି ସର୍ଜିତ ମହାନ୍ତି, ଭଦ୍ରକ ଜିଲ୍ଲା ପ୍ରତିନିଧି ଉମାକଲ୍ୟାଣ ମହାପାତ୍ର, ବାଲେଶ୍ବର ଜିଲ୍ଲା ପ୍ରତିନିଧି ଅସୀମ ମହାପାତ୍ର, କେନ୍ଦୁଝର ଜିଲ୍ଲା ପ୍ରତିନିଧି ଶରତ ଚନ୍ଦ୍ର ଦାସ, ମୟୁରଭଂଜ ଜିଲ୍ଲା ପ୍ରତିନିଧି ମନୋଜ ପଣ୍ଡା ପ୍ରମୁଖ ସେମାନଙ୍କ ଜିଲ୍ଲାରେ ସକାଳର ସ୍ଥିତି ଓ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସକାଳ ପ୍ରସାରଣ ବିଭାଗର ମୁଖ୍ୟ ବିଜୟ ଦାସ, ପ୍ରଡକ୍ସନ ମୁଖ୍ୟ ଶୁଭେନ୍ଦୁ ସାମଲ, ବିଜ୍ଞାପନ ବିଭାଗର ମୁଖ୍ୟ ଜ୍ୟୋତି ରଂଜନ ପାଣିଗ୍ରାହୀ, ନନ୍ଦିଘୋଷ ଟିଭି ବିଜ୍ଞାପନ ବିଭାଗ ମୁଖ୍ୟ ପବିତ୍ର ପ୍ରଧାନ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ । ନନ୍ଦିଘୋଷ ଓ ସକାଳ ମାନବ ସମ୍ବଳ ବିଭାଗର ମୁଖ୍ୟ ଜିଷ୍ଣୁ ମହାନ୍ତି ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ ।

Leave a Reply