ଥମିବନି ଋଷ-ୟୁକ୍ରେନ ଯୁଦ୍ଧ : ନିଜର ସ୍ଥିତି ଜାହିର ଲାଗି ସଂଘର୍ଷ ଜାରି

1 min read

କିଭ୍ : ଥମିବନି ଯୁଦ୍ଧ । ନିଜର ସ୍ଥିତି ଜାହିର ଲାଗି ଋଷ ସଂଘର୍ଷ ଜାରି ରଖିଛି । ଋଷ ନିକଟରେ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର ମୁଣ୍ଡ ନୁଆଁଇଛନ୍ତି ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବୁରିଆଟିଆସ୍ଥିତ ଏକ ଆଭିଏସନ କାରଖାନାରେ ଉଦବୋଧନ ଦେଇ ପୁଟିନ କହିଛନ୍ତି-ଭୂରାଜନୈତିକ ଭୂମିକା ଦୃଷ୍ଟିରୁ ନୁହେଁ, ବରଂ ନିଜର ସ୍ଥିତି ଜାହିର କରିବା ଲାଗି ହିଁ ଋଷ ସଂଗ୍ରାମ କରୁଛି ।

ଋଷ ଯାହା କିଛି କରୁଛି ଦେଶର ଓ ଭବିଷ୍ୟ ପିଢି ଲାଗି ହିଁ କରୁଛି । ଋଷ ବିରୋଧରେ ଯୁଦ୍ଧ ଲାଗି ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ପୁଟିନ । ପାଶ୍ଚାତ୍ୟ ରାଷ୍ଟ୍ରର ଅର୍ଥନୈତିକ କଟକଣା କାରଣରୁ ସେ ଚିନ୍ତିତ ଅଛନ୍ତି ବୋଲି ସେ କହିଛନ୍ତି । ଅର୍ଥନୈତିକ କଟକଣା ଜାରି କରିବା ପରେ ଋଷର କାରଖାନା ବନ୍ଦ ହୋଇଯିବା ସହ ବେକାରୀ ବଢିବ ଏବଂ ଅର୍ଥନାତିକ ସଂକଟ ଘନୀଭୂତ ହେବ ବୋଲି ଶତ୍ରୁରାଷ୍ଟ୍ରମାନେ ଆଶା କରୁଥିଲେ । ମାତ୍ର ତାହା ତାହା ଘଟିଲା ନାହିଁ ବୋଲି ସେ କହିଛନ୍ତି ।

ସେପଟେ ଜର୍ମାନୀ ସ୍ବାଧୀନ ଭାବେ କିଛି କରିବାକୁ ଅସମର୍ଥ ଏବଂ ଏହା ଆମେରିକା ଦ୍ବାରା କବଳିତ ବୋଲି କହିଛନ୍ତି ପୁଟିନ । ଗତବର୍ଷ ଘଟିଥିବା ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନ ବିସ୍ଫୋରଣ ଘଟଣାର ତଦନ୍ତ ପ୍ରକ୍ରିୟାରେ ଜର୍ମାନୀ ସମେତ ପାଶ୍ଚାତ୍ୟ ରାଷ୍ଟ୍ର ସହଯୋଗ କରୁ ନଥିବାରୁ କ୍ଷୁବ୍ଧ ହୋଇଛନ୍ତି ପୁଟିନ ।