ଆମେରିକା ସହ ୧୨ ବର୍ଷ ପୂରୁଣା ପରମାଣୁ ଚୁକ୍ତି ବାତିଲ କଲା ରୁଷ୍

1 min read

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ ଯୁଦ୍ଧକୁ ଆଗାମୀ ୨୪ ତାରିଖରେ ବର୍ଷେ ପୂରିବ । ଏହା ପୂର୍ବରୁ ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଚାନକ ୟୁକ୍ରେନର ରାଜଧାନୀ କିଭରେ ପହଞ୍ଚିଯାଇଥିଲେ । କେବଳ ପହଞ୍ଚିନଥିଲେ ବରଂ ସେଠାରେ ଅନେକ ବଡ଼ ଘୋଷଣା ମଧ୍ୟ କରିଥିଲେ । ୟୁକ୍ରେନକୁ ଆମେରିକା ଆହୁରି ଯୁଦ୍ଧାସ୍ତ୍ର ଯୋଗାଇ ଦେବା ନେଇ ମଧ୍ୟ କହିଥିଲେ । ବାଇଡେନଙ୍କ ଗସ୍ତର ଗୋଟେ ଦିନ ପରେ ଅର୍ଥାତ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ସଂସଦରେ ସମ୍ବୋଧିତ କରିଛନ୍ତି । ଏହି ସମ୍ବୋଧନରେ ସେ ଯୁଦ୍ଧକୁ ନେଇ ଅନେକ ବଡ଼ ଘୋଷଣା କରିଥିଲେ । ସେ କହିଥିଲେ ଯେ ଆମେ ସବୁବେଳେ ଶାନ୍ତି ଚାହୁଁଥିଲୁ ହେଲେ ଆମେରିକା ଭଳି ପାଶ୍ଚାତ୍ୟ ଦେଶଗୁଡିକ ୟୁକ୍ରେନ କାନ୍ଧରେ ବନ୍ଧୁକ ରଖି ଆମ ଆଡକୁ ଚଳାଇଥିଲେ ।

ଯୁଦ୍ଧ ସ୍ଥିତି ସୃଷ୍ଟି କରିଥିଲେ ଯେଉଁ କାରଣରୁ ଆମକୁ ମଧ୍ୟ ଯୁଦ୍ଧ କରିବାକୁ ପଡ଼ିଲା । ଏହି ସମ୍ବୋଧନରେ ଆମେରିକା ସହ ଦେଶର ସମ୍ପର୍କ ନେଇ ବଡ଼ ଘୋଷଣା କରିଥିଲେ । ପୁଟିନ କହିଥିଲେ, ଯୁଦ୍ଧ ଟାଳିବା ପାଇଁ ସବୁପ୍ରକାର ରାଜନୈତିକ ପ୍ରୟାସ କରିଥିଲୁ, କିନ୍ତୁ ନାଟୋ ଏବଂ ଆମେରିକା ଏହାକୁ ସଫଳ ହେବାକୁ ଦେଇନଥିଲେ । ଆମେ ଏବେ ବି ଆଲୋଚନା ପାଇଁ ରାଜି ଅଛୁ କିନ୍ତୁ ଏଥିପାଇଁ ସର୍ତ୍ତ ମଞ୍ଜୁର ନୁହେଁ । ୟୁକ୍ରେନକୁ ଲଙ୍ଗ ରେଞ୍ଜ ଡିଫେନ୍ସ ସିଷ୍ଟମ ଦିଆଯାଉଛି । ଆମ ସୀମାରେ ଏଥିପାଇଁ ବିପଦ ଲାଗି ରହିଛି । ରୁଷ୍ ୨୦୧୧ରେ ଆମେରିକା ସହ କରିଥିବା ପରମାଣୁ ଚୁକ୍ତିକୁ ବାତିଲ କରୁଛି । ଆମେରିକା ନିଜର ଆଧିପତ୍ୟ ବିସ୍ତାର ପାଇଁ ଅନ୍ୟକୁ ମୋହର ବନାଉଛନ୍ତି । ପାଶ୍ଚାତ୍ୟ ଶକ୍ତି ହିଁ ଯୁଦ୍ଧ ପାଇଁ ଦାୟୀ ବୋଲି ପୁଟିନ କହିଥିଲେ ।