ଋଷର କରୋନା ଭ୍ୟାକ୍ସିନ୍ ଉପରେ ଭରସା ଦେଖାଇଲେ ଏହି ସବୁ ଦେଶ, ରଖିଲେ ଏହି ସବୁ ସର୍ତ୍ତ

1 min read
Russia Ship 50 Million Coronavirus Vaccine Sputnik V Doses Brazil

ନୂଆଦିଲ୍ଲୀ: ଦୁନିଆର ପ୍ରଥମ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଥିବା ନେଇ ଋଷ ଦାବି କରିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କହିବା ଅନୁଯାୟୀ ପରୀକ୍ଷାର ସବୁ ପର୍ଯ୍ୟାୟରେ ଭ୍ୟାକ୍ସିନ୍ ଆଶାନୁରୂପ ଫଳ ଦେଖାଇଛି । ତେବେ, Sputnik V (ସ୍ପୁଟନିକ ଭି) ନାମରେ ନାମିତ ଏହି ଭ୍ୟାକ୍ସିନ୍ ଏବେ ଯାଏଁ ଆମେରିକା ଭଳି କେତକ ବଡ଼ ଦେଶର ଭରସା ଜିତି ପାରିନାହିଁ । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଋଷର କରୋନା ଭ୍ୟାକ୍ସିନ୍ ଉପରେ ଆସ୍ଥା ପ୍ରକଟ କରିନାହିଁ ।

ରଷିୟାନ ଡିଫେନ୍ସ ମିନିଷ୍ଟ୍ରୀ ଓ ଗମାଲେୟା ରିସର୍ଚ୍ଚ ଇନଷ୍ଟୁଚ୍ୟୁଟ୍ ଦ୍ୱାରା ବିକଶିତ ଏହି ଭ୍ୟାକ୍ସିନ୍ କରୋନା ଭାଇରସ୍ ବିପକ୍ଷରେ ଇମ୍ୟୁନିଟିକୁ ୨ ବର୍ଷ ଯାଏଁ ବଢ଼ାଇ ପାରିବ । ଏହି ଦାବି ଖୋଦ୍ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୟାନ ପରେ କିଛି ଦେଶ ଋଷ ଭ୍ୟାକ୍ସିନ ଉପରେ ଆଗ୍ରହ ଦେଖାଇଛନ୍ତି ।

ଭିଏତନାମର ଏକ ସ୍ଥାନୀୟ ଖବରକାଗଜରେ ପ୍ରକାଶ ରିପୋର୍ଟରେ କୁହାଯାଇଛି- ଋଷ ନିର୍ମିତ କରୋନା ଭ୍ୟାକ୍ସିନ୍ କିଣିବାକୁ ଶୁକ୍ରବାର ଭିଏତନାମ ପଞ୍ଜିକରଣ କରିଛି । ପ୍ରଥମ ପର୍ଯ୍ୟାୟରେ ଭିଏତନାମ ଋଷ ନିର୍ମିତ ଭ୍ୟାକ୍ସିନର ୫୦ରୁ ୧୫୦ ମିଲିୟନ ଡୋଜ୍ କିଣିପାରେ ବୋଲି କୁହାଯାଇଛି । ଋଷର ଏହି ଭ୍ୟାକ୍ସିନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଏହା ୯ କ୍ୟାଣ୍ଡିଡେଟସରେ ସ୍ଥାନ ପାଇବ ନାହିଁ ।

ସେପଟେ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭ୍ୟାକ୍ସିନ୍ କିଣିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରେ । ଇସ୍ରାଏଲର କହିବା କଥା ସେ ପ୍ରଥମେ ଭ୍ୟାକ୍ସିନର ଟେଷ୍ଟ କରିବ ଓ ପରିଣାମ ଠିକ୍ ଆସିଲେ ଭ୍ୟାକ୍ସିନ୍ କିଣିବା ନେଇ ଋଷ ସହ କଥାବାର୍ତ୍ତା କରିବ ।

ଭିଏତନାମ, ଇସ୍ରାଏଲ ବ୍ୟତୀତ୍ ଫିଲିପାଇନ୍ସ ମଧ୍ୟ ଋଷ ଭ୍ୟାକ୍ସିନ୍ କିଣିବା ଉପରେ ଆଗ୍ରହ ପ୍ରକାଶ କରିଛି । ତେବେ, ଋଷ ନିର୍ମିତ ଭ୍ୟାକ୍ସିନ୍ ପରୀକ୍ଷା କରିବାକୁ ଫିଲିପାଇନ୍ସ ଏକ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିବ । ଯେଉଁଥିରେ ଭ୍ୟାକ୍ସିନ୍ କ୍ଷମତା ସମ୍ପର୍କରେ ଜଣାପଡ଼ିବ । ଏହି ପରୀକ୍ଷଣ ଅକ୍ଟୋବର ମାସରେ ଆରମ୍ଭ ହେବ । ଯଦି ପରୀକ୍ଷଣରେ ଭ୍ୟାକ୍ସିନ୍ ସଫଳ ହୁଏ ତେବେ ୨୦୨୧ ମସିହା ଏପ୍ରିଲ୍ ମଧ୍ୟରେ ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ଋଷର ୩ ହଜାରରୁ ଅଧିକ ମେଡିକାଲ ପ୍ରଫେସନାଲଙ୍କ ଉପରେ ହୋଇଥିବା ସର୍ଭେ ଅନୁସାରେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ମଧ୍ୟ ଏହି ଭ୍ୟାକ୍ସିନ୍ ଉପରେ ଆସ୍ଥା ପ୍ରକଟ କରିନାହାଁନ୍ତି । ଭ୍ୟାକ୍ସିନ୍ ବାବଦରେ ଅଧିକ ତଥ୍ୟ ନଥିବାରୁ ସେମାନେ ଏହାର ଅନୁମୋଦନ ପ୍ରକ୍ରିୟାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ।

Leave a Reply