ଋଷ ଏମିତି ଟିକା ତିଆରି କରିଛି ଯାହାକୁ ଥରେ ନେଲେ ଦୁଇ ବର୍ଷ ଯାଏ କରୋନା ପାଖ ମାଡିବନି !

1 min read

ମସ୍କୋ: ଋଷର ସେଚେନୋଭ୍ ବିଶ୍ୱବିଦ୍ୟାଳୟ ବିଶ୍ୱର ପ୍ରଥମ କରୋନା ଟିକାର ସଫଳ ଅନ୍ତିମ ପରୀକ୍ଷଣ କରିଥିବା ଦାବି କରିଛି । ମାନବ ପରୀକ୍ଷଣରେ ଏହା ସଫଳ ରହିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ଦାବି କରାଯାଇଛି । ଭ୍ୟାକ୍ସିନ୍ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବୈଜ୍ଞାନିକ ଆଲେକଜାଣ୍ଡର ଲୁକାସେଭଙ୍କ କହିବା ହେଉଛି ଆମ ଲକ୍ଷ୍ୟ ସଫଳତାର ସହ କୋଭିଡ୍-୧୯ ଭ୍ୟାକ୍ସିନ୍ ତିଆରି କରିବା । ସୁରକ୍ଷା ଦୃଷ୍ଟିରୁ ଭ୍ୟାକ୍ସିନର ଯାଂଚ ସଫଳତାର ସହ କରାଯାଇଛି । ଏହା ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ ।

ଦୁଇ ବର୍ଷ ପାଇଁ ସୁରକ୍ଷା ଦେବ ଟିକା

ଭ୍ୟାକ୍ସିନ ତିଆରି କରିଥିବା ଗେମଲି ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିୟୋଲଜି ଆଣ୍ଡ୍ ମାଇକ୍ରୋବାୟୋଲଜିର ନିର୍ଦ୍ଦେଶକ ଆଲେକଜାଣ୍ଡାର ଗିଂଟସବର୍ଗ କହିଛନ୍ତି ଯେ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟୟର ଭ୍ୟାକ୍ସିନ୍ ଟ୍ରାଏଲ ପୁରା ହୋଇ ସାରିଛି । ଏହି ଟିକା ଭାଇରସ ବିରୋଧରେ ଶରିରର ପ୍ରତିରୋଧକ ଶକ୍ତି (ଇମ୍ୟୁନିଟି) ବଢାଇଥାଏ । ଥରେ ଭ୍ୟାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କୁ ଦୁଇ ବର୍ଷ ପାଇଁ କରୋନା ସଂକ୍ରମଣ ହେବ ନାହିଁ ।

ଟିକା ଆଗରୁ କୋଭିଡ୍-୧୯ ଔଷଧ ‘କୋରୋନାବୀର’

ଋଷ ଟିକା ପ୍ରସ୍ତୁତ କରିବା ଆଗରୁ କୋରୋନାବୀର ନାମକ ଔଷଧ ତିଆରି କରିଥିଲା । କ୍ଲିନିକାଲ ଟ୍ରାଏଲ ପରେ ଔଷଧକୁ କୋଭିଡ୍-୧୯ ସଂକ୍ରମିତଙ୍କ ଉପରେ ପ୍ରୟୋଗ ପାଇଁ ଅନୁମତି ଦିଆଯାଇଥିଲା । ଏହାକୁ ପ୍ରସ୍ତୁତ କରିଥିବା ଫାର୍ମା କଂପାନୀର ନାମ ହେଉଛି –ଆର-ଫାର୍ମା । ଆର-ଫାର୍ମାର ଦାବି ହେଉଛି ବାକି ଔଷଧ ତୁଳନାରେ ଏହା ଭଲ କାମ କରୁଛି । ଏହା କରୋନା ଭାଇରସର ସଂଖ୍ୟାବୃଦ୍ଧି(ରିପ୍ଲିକେସନ)କୁ ରୋକିବାରେ ସଫଳ ହେଉଛି ବୋଲି କଂପାନୀ ଦାବି କରୁଛି ।

କଂପାନୀର ଦାବି ଯେ, ଏହା ବିଶ୍ୱର ପ୍ରଥମ ଏଭଳି ଔଷଧ ଯାହା କେବଳ କରୋନା ସଂକ୍ରମିତଙ୍କ ପାଇଁ ପ୍ରସ୍ତୁତ ହୋଇଛି । ଅନ୍ୟ ଔଷଧ ତୁଳନାରେ ଏହି ଔଷଧ ଖାଇଥିବା ସଂକ୍ରମିତଙ୍କ ସ୍ୱାସ୍ଥ୍ୟରେ ୫୫ ପ୍ରତିଶତ ଅଧିକ ସୁଧାର ଆସିଥିଲା ବୋଲି କଂପାନୀ ଦାବି କରିଛି ।  ଆର-ଫାର୍ମାର ଦାବି ହେଉଛି ଯେ, ଏହି ଔଷଧ କରୋନା ଲକ୍ଷଣ ଉପରେ ଫୋକସ କରିବା ବଦଳରେ ରୋଗକୁ ଟାର୍ଗେଟ୍ କରିଥାଏ । ସଂକ୍ରମିତଙ୍କୁ ଔଷଧ ଦେବାର ୧୪ ଦିନ ପରେ ଫରକ ନଜର ଆସିଥିଲା । କରୋନାବୀର ଖାଇବାର ପଂଚମ ଦିନରେ ୭୭.୫ ପ୍ରତିଶତ ରୋଗୀଙ୍କ ଠାରେ କରୋନା ଭାଇରସ ମିଳିନଥିଲା ।

ପ୍ରଥମ କରୋନା ଟିକା ତିଆରି କରିବାରେ ହେଲା ସଫଳ !

Leave a Reply