ଓଡିଶାର ବରପୁତ୍ର ବିଜୁ ବାବୁଙ୍କୁ ସମ୍ମାନ ଦେବ ଋଷ, ଗର୍ବିତ ହେବେ ଓଡ଼ିଆ

ଭୁବନେଶ୍ବର : ବିଜୁଙ୍କୁ ଝୁରୁଛି ବିଶ୍ବ । ପୁଣି ଋଷ ଦେବ ସମ୍ମାନ। କିନ୍ତୁ ବିଜୁଙ୍କୁ ନେଇ ହୀନ ରାଜନୀତି କରୁଛି ବିଜେପି । ବରପୁତ୍ରଙ୍କୁ ଅସମ୍ମାନ କରି ଲୋକଙ୍କ ଦ୍ବାରା ହେଉଛି ନିନ୍ଦିତ । ବିଜୁଙ୍କ ପାଇଁ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ । ବିଜୁଙ୍କ ସାହସକୁ ପୁଣି ସମ୍ମାନିତ କରିବ ଋଷ । ଚଳିତ ମାସ ୯ ତାରିଖରେ ବିଶ୍ବଯୁଦ୍ଧ ବିଜୟକୁ ୮୦ ବର୍ଷ ପୂରୁଛି । ଏହି ଅବସରରେ ବିଜୁ ବାବୁଙ୍କୁ ସମ୍ମାନିତ କରିବାକୁ ଘୋଷଣା କରିଛି ଋଷ । ୭ ତାରିଖର ସକାଳେ ଏଥିପାଇଁ ଆୟୋଜିତ ହୋଇଛି ଉତ୍ସବ । ସମ୍ମାନ ଗ୍ରହଣ କରିବେ ସୁପୁତ୍ର ନବୀନ ପଟ୍ଟନାୟକ । ଏହାକୁ ନେଇ ବେଶ ଖୁସି ଜାହିର କଲେଣି ବିଜୁ ପ୍ରେମୀ ଓ ବିଜେଡି ନେତା । ବିଜୁବାବୁ ଋଷ ଏମ୍ବାସି ହାଉସରେ ସମ୍ମାନିତ ହେବେ । ଏହା ପ୍ରତ୍ୟେକ ଓଡିଆ ଓ ଭାରତୀୟଙ୍କ ପାଇଁ ଗର୍ବର କଥା ବୋଲି ବିଜେଡି କହିଛି । ବିଜେଡି ବିଧାୟକମାନେ ଯୁକ୍ତି ବାଢିଛନ୍ତି ଏପରି ପ୍ରବାଦ ପୁରୁଷ ଆଉ ଓଡିଶାରେ ଜନ୍ମହେବେ ନାହିଁ । ଯେଉଁମାନେ ବିଜୁ ପଟ୍ଟନାୟକଙ୍କ ଛବିକୁ ମଳିନ କରିବାକୁ ପ୍ରୟାସ କରୁଛନ୍ତି ସେମାନେ ଲୋକଙ୍କ ଦ୍ବାରା ନିନ୍ଦିତ ହେଉଛନ୍ତି । ଯେଉଁଦଳ ଏପରି ହୀନ ରାଜନୀତି କରୁଛି କ୍ଷମତା ଓ ଅହଂକାର ଲୋଭରେ ଲୋକେ ତାହାର ଜବାବ ଦେବେ ବୋଲି ଓଡିଶାର ବରିଷ୍ଠ ରାଜନେତାମାନେ କହିଛନ୍ତି ।
ନବ ଓଡ଼ିଶା ନିର୍ମାଣର ବିନ୍ଧାଣୀ ବିଜୁବାବୁଙ୍କ ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ମହାପ୍ରୟାଣ ପରେ ତାଙ୍କ ମର ଶରୀରରେ ତିନୋଟି ଦେଶର ଜାତୀୟ ପତାକା ଘୋଡା ଯାଇଥିଲା । ଏପରି ଏକ ସ୍ବାଧୀନତା ସଂଗ୍ରାମୀଙ୍କ ନାଁକୁ ନେଇ ଶାସକ ବିଜେପି ଯେପରି ହୀନ ରାଜନୀତି କରୁଛି ତାହାକୁ କେହି ଗ୍ରହଣ କରିବେ ନାହିଁ । ଏହାର କଡା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ସାରଦା ନାୟକ ଓ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ । ବିଜେପି ବିଧାୟକ ପ୍ରକାଶ ସୋରେନ କହିଛନ୍ତି ବିଜୁବାବୁ ଷ୍ଟେଟସମ୍ୟାନ । ତାଙ୍କୁ ଅସମ୍ମାନ କରାନଯିବା ଦରକାର । ବିଜୁବାବୁଙ୍କ ସାହସ, କୌଶଳ ଏବଂ ବୁଦ୍ଧିମତ୍ତାକୁ ଦେଶ ଓ ବିଶ୍ବ ସମ୍ମାନ ଦେଇ ମହାନ ପୁରୁଷଙ୍କୁ ଝୁରିଛି । ଏପରି ସ୍ଥଳରେ ଓଡିଶାରେ ବିଜେପି ସରକାର ଯେପରି ବିଜୁଙ୍କ ନାଁ ଓ ଚିହ୍ନକୁ ଲିଭାଇଦେବାକୁ ଅପଚେଷ୍ଟା କରୁଛି ତାହାକୁ ସବୁ ମହଲରୁ ନିନ୍ଦା କରାଯାଉଛି ।