ପିଆଜ ମାଗିବାରୁ ବାଡେଇଲେ ରେଷ୍ଟୁରାଣ୍ଟ କର୍ମୀ, ମ୍ୟାନେଜର ଗିରଫ

କୋଲକାତା: କୋଲକାତାର ହାତିବାଗାନର ଏକ ନାମୀଦାମୀ ରେଷ୍ଟୁରାଣ୍ଟର ମାଲିକ ଓ କର୍ମଚାରୀ ମାନେ କିଛି ଯୁବକଙ୍କୁ ବାଡେଇ ଲହୁଲହୁାଣ କରିଥିବା ନେଇ ଅଭିଯୋଗ ହୋଇଛି । ଏପରିକି ରେଷ୍ଟୁରାଣ୍ଟର ମ୍ୟାନେଜର ଓ ୱେଟର ଜଣେ ଯୁବକଙ୍କୁ ରାସ୍ତାରେ ପକାଇ ନିର୍ଦ୍ଧୁମ ପିଟିଥିବା ଜଣାପଡିଛି । ଅନ୍ୟପଟେ ଏଭଳି ଅଭିଯୋଗକୁ ରେଷ୍ଟୁରାଣ୍ଟ ପକ୍ଷରୁ ଖଣ୍ଡନ କରାଯାଇଛି।

ପୋଲିସର ସୂଚନା ଅନୁଯାୟୀ, ଏହି ଝଗଡା ମଦ ପିଇବାକୁ ନେଇ ଘଟିଥିଲା । ତେବେ ରେଷ୍ଟୁରାଣ୍ଟ କର୍ମୀଙ୍କ କହିବାନୁଯାୟୀ, ଚାରି ଜଣ ଯୁବକ ରାତି ପ୍ରାୟ ୧୧ଟା ବେଳେ ଫ୍ୟାମିଲି ରେଷ୍ଟୁରାଣ୍ଟକୁ ଆସି ଖାଇବା ଅର୍ଡର କରିଥିଲେ । ସେମାନେ ସାଙ୍ଗରେ ମଦ ଆଣିଥିବା ବେଳେ କର୍ମଚାରୀ ମାନେ ସେମାନଙ୍କୁ ମଦ ନ ପିଇବା ପାଇଁ କହିଥିଲେ । ଯାହା ପରେ ସେମାନେ ଆକ୍ରମଣ କରିଥିଲେ।

ଅନ୍ୟପଟେ ଯୁବକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ୱେଟରଙ୍କୁ ପିଆଜ ମାଗିବାରୁ ଦେଇନଥିଲେ । ଓଲଟା ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ବାଡାବାଡି ମଧ୍ୟ କରିଥିଲେ । ଏପରିକି ବାହାରକୁ ବାହାର କରି ସଟର୍ ଦେଇ ଦେଇଥିଲେ । ତେବେ ଏହି ଘଟଣାରେ ପୋଲିସ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave a Reply